ମୁଖ୍ୟମନ୍ତ୍ରୀ ଚାଖିଲେ ସୁଆଦିଆ କୋରାପୁଟ ଷ୍ଟ୍ରବେରୀ
ଭୁବନେଶ୍ୱର : ନିଜମାଟିରେ ପରିଶ୍ରମ କରି ଲଗାଯାଇଥିବା ଫଳର ସୁଆଦ କିଛି ଅଲଗା ଅନୁଭୂତି ହିଁ ଆଣେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଖିଛନ୍ତି କୋରାପୁଟ ମାଟିର ସୁଆଦିଆ ଷ୍ଟ୍ରବେରୀ । ମୁଖ୍ୟମନ୍ତ୍ରୀ କୋରାପୁଟର ଷ୍ଟ୍ରବେରୀ ଚାଖି ବେଶ ପ୍ରଫୁଲ୍ଲିତ ଥିବା ଫଟୋରୁ ଜଣାପଡିଛି।
ସୂଚନା ଯେ, କୋରାପୁଟ ଜିଲାରେ ଷ୍ଟ୍ରବେରୀ ଚାଷ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ଚାଷକୁ ପ୍ରୋତ୍ସାହନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତବର୍ଷ ପରୀକ୍ଷାମୂଳକ ଭାବେ କୋରାପୁଟ ଜିଲାର କୋଟିଆ ଗ୍ରାମ ପଞ୍ଚାୟତର କେବଳ ଗୋଟିଏ ଗାଁରେ ହିଁ ଷ୍ଟ୍ରବେରୀ ଚାଷ କରାଯାଇଥିଲା । ଦୋଳିଆମ୍ବ ଗାଁର ୫ ଏକର ଜମିରେ ପ୍ରଥମେ ଏହି ମିଠା କୋଳିର ଚାଷ ହୋଇଥିଲା । ପରେ ଆଉ ୩ଟି ଗାଁର ୩୦ ଏକର ଜମିରେ ଷ୍ଟ୍ରବେରୀ ଚାଷ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । କୋରାପୁଟ ଜିଲ୍ଲା ଆଇଟିଡିଏ ଦ୍ୱାରା ଚାଷର ତଦାରଖ କରାଯାଇଥିଲା । ଏବେ ଏହି ଷ୍ଟ୍ରବେରୀ ଭୁବନେଶ୍ୱରରେ ବିକ୍ରି ପାଇଁ ଯୋଜନା ରହିଛି।
