ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ, ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର : ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ । ୧୮ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ବିଏମ୍ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି । ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ସମ୍ମତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି ।
ବିଏମ୍ସି ଦପ୍ତର ପରିସରରେ ଗତ ବୁଧବାର ସନ୍ଧ୍ୟାରେ ବୈଠକ ଡକାଯାଇଥିଲା । ବୈଠକରେ ସେଣ୍ଟ୍ରାଲ ମାର୍କେଟ ସଂଘ-ବିଏମ୍ସି ମଧ୍ୟରେ ହୋଇଥିବା ଚୁକ୍ତିପତ୍ର ପ୍ରଦାନ କରାଯାଇଥାନ୍ତା । ହେଲେ ବର୍ଷା ପାଇଁ ବୈଠକ ବାତିଲ ହୋଇଥିଲା । ବିଏମ୍ସି ସହିତ ଚୁକ୍ତିନାମା ପରେ ପୂର୍ବାହ୍ନ ୧୧ଟା ବେଳକୁ ମାର୍କେଟ ଖୋଲିବା ନେଇ ସମ୍ପାଦକ ରଞ୍ଜିତ ମହାନ୍ତି ଜଣାଇଥିଲେ । ଚୁକ୍ତି ମୁତାବକ ସେଣ୍ଟ୍ରାଲ ମାର୍କେଟ ସଂଘ ମାର୍କେଟର ପୂରା ରକ୍ଷାଣବେକ୍ଷଣ କରିବ । ପୂର୍ବରୁ ସଂଘ ପକ୍ଷରୁ ପିପିପି ମୋଡରେ ସୌନ୍ଦର୍ଯ୍ୟକରଣ କରାଯାଇଛି ।
ଏହା ସହ ଉନ୍ନତିକରଣ ମଧ୍ୟ କରାଯାଇଥିଲା । ହେଲେ ଉଠାଦୋକାନୀ ବସିବାରୁ ଏହି ସବୁ ନଷ୍ଟ ହୋଇଗଲା ବୋଲି ସଂଘ ଆପତ୍ତି କରିଥିଲା । ତେଣୁ ସେମାନଙ୍କୁ ହଟାଇବା ଦାବିରେ ପ୍ରାୟ ୧୮ ଦିନ ଧରି ବନ୍ଦ ଥିଲା ମାର୍କେଟ ବିଲ୍ଡିଂ । ଫଳରେ କୋଟି କୋଟି ଟଙ୍କାର କାରବାର ଠପ୍ ହୋଇଥିଲା । ହଜାର ହଜାର ଲୋକେ ପ୍ରତିଦିନ ମାର୍କେଟ ବିଲ୍ଡିଂରୁ ଫେରିଥିଲେ । ଏବେ ଏହି ମାର୍କେଟ ପୁଣି ଚଳଚଞ୍ଚଳ ହେବାକୁ ଯାଉଛି ।
ସୂଚନା ଯେ, ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ପରେ ମାର୍କେଟ ବିଲ୍ଡିଂ ଗତ ୧୮ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ନିଷ୍ପତ୍ତି ନେଇଥିଲା । ତେବେ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସି ସମ୍ମତି ପରେ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।
