ବାଲେଶ୍ୱର-ମୟୂରଭଞ୍ଜ ସୀମାବର୍ତ୍ତୀ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟଣା : ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାବର୍ତ୍ତୀ ଗ୍ରାମ ଚଷାଖଣ୍ଡ, ଜଙ୍ଖରାଇ ଏବଂ କଳମା ଗ୍ରାମର ଲୋକଙ୍କ ମଧ୍ୟରେ ଗତ ଶନିବାର ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ଜିଲାର ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ତ୍ୱରିତ୍ ପଦକ୍ଷେପ ନିଆଯାଇ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଉତ୍ତେଜନା ହ୍ରାସ କରିବା ପାଇଁ ରବିବାର ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଉଭୟ ପକ୍ଷଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷକ ରିଷିକେଷ ଡି ଖିଲାରି, ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ଏବଂ ଉଭୟ ପକ୍ଷର ପ୍ରାୟ ୩୦ଜଣ ଗ୍ରାମବାସୀ ଅଂଶଗ୍ରହଣ କରି ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା କରିଥିଲେ । ଗତ ଶନିବାର ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ପ୍ରାଣ ହରାଇବା ଏକ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ହେଁ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଗ୍ରାମବାସୀଙ୍କ ସହଯୋଗ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ପୂର୍ବାଞ୍ଚଳ ଆଇଜି ଶ୍ରୀ ଲାଲ୍ ପ୍ରଶାସନ ଓ ପୋଲିସ ଉପରେ ସମ୍ପୂର୍ଣ୍ଣ ଭରସା ରଖିବାକୁ ଏବଂ ଆଇନକୁ ହାତକୁ ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଧରାଯିବା ସହିତ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସେହିପରି ପରିସ୍ଥିତିରେ ସୁଧାର ଆଣିବାକୁ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ । ବାଲେଶ୍ୱର ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହିତ ଗ୍ରାମବାସୀଙ୍କ ସମସ୍ତ ଆଇନସଙ୍ଗତ ଦାବି ପୂରଣ କରାଯିବ ବୋଲି କହିଥିଲେ । ମୟୂରଭଞ୍ଜ ଜିଲାପାଳ ଶ୍ରୀ ଭରଦ୍ୱାଜ ଏଭଳି ପରିସ୍ଥିତି ଯେଭଳି ଆଗକୁ ନ ଉପୁଜିବ ସେଥିପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ସରକାରଙ୍କ ପକ୍ଷରୁ ଯାହା ବି ସାହାଯ୍ୟ ଓ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ । ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର, ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଖିଲାର ଏଭଳି ଘଟଣାର ପୁନରାବୃତି ନ ହେବା ଏବଂ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଉପସ୍ଥିତ ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବୈଠକରେ କହିବା ସହିତ ସମସ୍ତ ଗ୍ରାମରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ କାଏମ ରଖିବାକୁ ସହମତି ପ୍ରକାଶ କରିଥିଲେ । ଶାନ୍ତି ଓ ଭାଇଚାରା ସହ ସହବସ୍ଥାନ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା ।
