ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ତାଲିକା : କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗୁଆ
ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ର ପ୍ରଥମ କଟ ଅଫ ତାଲିକା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । କଳା, ବିଜ୍ଞାନ ଓ ବାଣିଜ୍ୟ (ତିନୋଟି ଷ୍ଟ୍ରିମ୍)ରେ ଆଗରେ ରହିଛି ରେଭେନ୍ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦ ଓ କଳାରେ ୮୦ ପ୍ରତିଶତ ରହିଛି।
ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଗରେ ରହିଛି ରେଭେନ୍ସା। ଏଫ୍ଏମ କଲେଜର ବିଜ୍ଞାନ କଟ୍ଅଫ ମାର୍କ ରହିଛି ୯୦%। ୮୯% କଟ୍ଅଫ ମାର୍କ ସହ ତୃତୀୟରେ ରହିଛି ବିଜେବି କଲେଜ। କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି। ୨୧୫୮ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଥିବା ୫ ଲକ୍ଷ ୯ ହଜାର ୬୧୪ ସିଟ୍ ରେ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ମେଧା ତାଲିକା ।
ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ହେବ । ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା । ଜୁଲାଇ ୭ରୁ ୧୩ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ରାଜ୍ୟର ୨,୧୪୮ ଯୁକ୍ତ ୨ କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ୫ ଲକ୍ଷ ୨୪ ହଜାର ୮୭୮ ସିଟ୍ ରହିଛି । ନାମଲେଖା ପାଇଁ ୫ ଲକ୍ଷ ୭ ହଜାର ୪୭୬ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ଲାଇନ୍ରେ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବା ବେଳେ ୪ ଲକ୍ଷ ୬୭ ହଜାର ୩୬୫ ଜଣ ଫି’ ଦାଖଲ କରିଥିବା ଜଣାପଡ଼ିଛି ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବା ସହ ଏହାର ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ ହେବ । ଅନ୍ଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ ତାରିଖ ମଧ୍ୟରେ ହେବ ଏବଂ ଅଗଷ୍ଟ ୧ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ।
