ହଟ୍ ସ୍ପ୍ରିଂ-ଗୋଗରା-କୋଙ୍ଗକା ଲାରୁ ପର୍ଯ୍ୟାୟକ୍ରମେ ହଟିବେ ଚୀନ୍-ଭାରତ ସୈନ୍ୟ
ନୂଆଦିଲ୍ଲୀ : ପୂର୍ବ ଲଦ୍ଦାଖ ସୀମାକୁ ନେଇ ଚୀନ୍-ଭାରତ ବିବାଦ ଲାଗି ରହିଛି । ଇତିମଧ୍ୟରେ ବହୁବାର ଉଭୟ ଦେଶର କମାଣ୍ଡର ସ୍ତରୀୟ ଆଲୋଚନା ହେଉଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ପାରୁନି । ତେବେ ଗତ ଶନିବାର ଅନୁଷ୍ଠିତ ଚୀନ୍-ଭାରତ କମାଣ୍ଡର ସ୍ତରୀୟ ଆଲୋଚନାର ମିଳୁଥିବା ସୂଚନାରୁ ଉଭୟ ଦେଶ ହଟ୍ସ୍ପ୍ରିଂ-ଗୋଗରା-କୋଙ୍ଗକା ଲା କ୍ଷେତ୍ରରୁ ପର୍ଯ୍ୟାୟକ୍ରମେ ହଟିବାକୁ ସହମତ ହୋଇଥିବା ଜଣାପଡିଛି। ଯଦି ଏଥିଲାଗି ସୈନ୍ୟ ଆଲୋଚନା ସଫଳ ହୋଇଥାଏ ତେବେ ସୀମାକୁ ନେଇ ଗତବର୍ଷରୁ ଜାରି ଉତ୍ତେଜନା ସାମାନ୍ୟ ପ୍ରସମିତ ହୋଇପାରେ ବୋଲି ଆଶା କରାଯାଉଛି ।
ବୈଠକରେ ଭାରତ ପକ୍ଷରୁ ଗତ ୧୫ମାସ ହେଲା ସୀମାରେ ସୈନ୍ୟଙ୍କ ମୁହାଁ ମୁହିଁ ପରିସ୍ଥିତି ଟାଳିବାକୁ ହେଲେ ପ୍ରଥମେ ଡିସଏନଗେଜମେଣ୍ଟ, ଡି-ଇଣ୍ଡକ୍ସନ ଓ ଡିଏସ୍କେଲେସନ ଜରୁରି ବୋଲି ସ୍ପଷ୍ଟ କରିଦିଆଯାଇଥିଲା। ତେବେ ୧୫,୧୭ ଓ ୧୭ଏ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହର ସମ୍ଭବ ବୋଲି ଉଭୟ ପକ୍ଷ ଅନୁଭବ କରିଛନ୍ତି। ଏହି ଆଲୋଚନାରେ ଭାରତ ଏପ୍ରିଲ ୨୦୨୦ର ଯଥାସ୍ଥିତି ବହାଲି ଚାହୁଁଥିବା ବେଳେ ତାହା କ୍ରମଶଃ ସମ୍ଭବ ହେବ ବୋଲି ଏବେ ଆଶା କରାଯାଉଛି। ସୂଚନା ଯେ, ହଟ୍ସ୍ପ୍ରିଂ-ଗୋଗରା-କୋଙ୍ଗକା ଲା କ୍ଷେତ୍ରର ୧୫, ୧୭ ଓ ୧୭-ଏର ପାଟ୍ରୋଲିଂ ପଏଣ୍ଟରେ ଅବସ୍ଥାପିତ ସୈନିକଙ୍କ ପ୍ରତ୍ୟାହାର ନେଇ ଉଭୟ ଦେଶ ସହମତିର ଅତ୍ୟନ୍ତ ନିକଟତର ହୋଇଛନ୍ତି। ତେବେ ପ୍ରସଙ୍ଗରେ ସମ୍ଭାବିତ ମିଳିତ ବୟାନ ନ ଆସିବା ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛିବି ସ୍ପଷ୍ଟଭାବେ କୁହାଯାଇପାରୁନି। ଶନିବାର ଅନୁଷ୍ଠିତ ବୈଠକରେ ଭାରତ ପକ୍ଷରୁ ୧୪ କୋର କମାଣ୍ଡରଙ୍କ ଲେଫ୍ଟନାଣ୍ଟ ଜେନେରାଲ ପି.ଜି.କେ.ମେନନ ନେତୃତ୍ୱ ନେଇଥିବା ବେଳେ ଚୀନ୍ ପକ୍ଷରୁ ଦକ୍ଷିଣ ସିନଜିଆଙ୍ଗ ସୈନ୍ୟ ଜିଲ୍ଲା ମୁଖ୍ୟ ମେଜର ଜନେରାଲ ଲ୍ୟୁ ଲିନ୍ ଆଲୋଚନାରେ ଯୋଗ ଦେଇଥିଲେ।
