ନାବାଳିକା ଅନ୍ତଃସତ୍ତ୍ୱା ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା
ବାଲେଶ୍ୱର : ବାଲେଶ୍ୱର ସ୍ୱତନ୍ତ୍ର ଜଜ୍ (ପୋକ୍ସ) ରଞ୍ଜନ କୁମାର ସୁତାର ଏକ ନାବାଳିକା ଅନ୍ତଃସତ୍ତ୍ୱା ମାମଲାରେ ବିଚାର କରି ସୋମବାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ନୀଳଗିରି ବ୍ଲକ ବରହମ୍ପୁର ଥାନା ଅଧୀନସ୍ତ ବୈଷ୍ଣବବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଡାକ୍ତରଖାନା ନେବାରୁ ସେ ଅନ୍ତଃସତ୍ତ୍ୱା ଥିବାର ଜଣାପଡ଼ିଥିଲା । ଏନେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନାବାଳିକା ଜଣକୁ ପଚରାଉଚରା କରିବାରୁ ଜାଣିବାକୁ ପାଇଥିଲେ ଯେ, ନାବାଳିକା ଜଣକ ତାଙ୍କ ଗାଁରେ ଏକ ଯୁବକ ଜିତେନ୍ଦ୍ର ପଢ଼ିରିଆ ସହ ଭଲ ପାଇ ଶାରୀରିକ ସମ୍ପର୍କ ରଖିଥିଲେ । ଏନେଇ ପ୍ରଧାନଶିକ୍ଷୟିତ୍ରୀ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନୀଳଗିରି ଥାନା ମାମଲା (ନଂ. ୩୦୦ ।୨୧) ରୁଜୁ କରାଯାଇ ପୋକ୍ସ କୋର୍ଟରେ ବିଚାରାଧୀନ ଥିଲା । ଉକ୍ତ ମାମଲାରେ ୧୬ ସାକ୍ଷ୍ୟ ଓ ୧୯ ଦସ୍ତାବିଜ୍ ମୂଳେ ବିଚାର କରି ବିଚାରପତି ରଞ୍ଜନ କୁମାର ସୁତାର ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡ ରାୟ ଶୁଣାଇଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଯୋଗାଇ ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।
