ଚୀନରେ କୋଭିଡ୍ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କଲେ ‘ହୁ’ ମୁଖ୍ୟ
FILE PHOTO: World Health Organization (WHO) Director-General Tedros Adhanom Ghebreyesus attends a news conference in Geneva Switzerland July 3, 2020. Fabrice Coffrini/Pool via REUTERS/File Photo
ଜିନିଭା : ଚୀନରେ ବର୍ତ୍ତମାନ ହାହାକାର ପରିସ୍ଥିତି । କରୋନା ପୁନର୍ବାର ବଢ଼ିବାରେ ଲାଗିଛି, କୋଭିଡ୍ରେ ପ୍ରତିଦିନ ସେଠାରେ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଚୀନ୍ରେ କୋଭିଡ୍ ସଂଖ୍ୟା ବୃଦ୍ଧି ପାଉଥିବା ଘଟଣାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍ ଚିନ୍ତାବ୍ୟକ୍ତ କରିଛନ୍ତି। ସମଗ୍ର ଦେଶରେ ଜନସାଧାରଣଙ୍କ ଟିକାକରଣ ଉପରେ ଧ୍ୟାନ ଦେବାରେ ଚୀନ୍ର ଉଦ୍ୟମକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମର୍ଥନ କରୁଛି। ଡାକ୍ତରୀ ସହାୟତା ଏବଂ ଚୀନ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ସୁରକ୍ଷା ନିମନ୍ତେ ବି ଆମେ ଆମର ଉଦ୍ୟମ ଅବ୍ୟାହତ ରଖିବୁ। ୨୦୨୦ରୁ ତଥାକଥିତ ‘ଜିରୋ କୋଭିଡ୍’ ନୀତିର ଅଂଶବିଶେଷ ଭାବେ ଚୀନ୍ କଠୋର ସ୍ବାସ୍ଥ୍ୟ କଟକଣା ଜାରି କରିଥିଲା। ଜନ ଅସନ୍ତୋଷ ବୃଦ୍ଧି ଓ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବାରୁ ବିନା ବିଜ୍ଞପ୍ତିରେ ଡିସେମ୍ବର ପ୍ରାରମ୍ଭରେ ଚୀନ୍ ସରକାର ପ୍ରାୟ ସମସ୍ତ କଟକଣା ହଟାଇ ଦେଇଥିଲେ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜରୁରୀ ପରିସ୍ଥିତିର ନିର୍ଦେଶକ ମାଇକ୍ ରିୟାନ୍ କହିଛନ୍ତି, ଚୀନ୍ରେ ‘ଆଇସିୟୁ’ରେ ଅପେକ୍ଷାକୃତ କମ୍ ସଂଖ୍ୟକ ରୋଗୀ ଥିବା ରିପୋର୍ଟ ମିଳିଥିଲା, କିନ୍ତୁ ବାସ୍ତବ କ୍ଷେତ୍ରରେ ଚୀନ୍ର ‘ଆଇସିୟୁ’ ସବୁ ପୂର୍ଣ୍ଣ ହୋଇଯାଉଛି। ପ୍ରକୃତ ଘଟଣା କ’ଣ ଚୀନ୍ କହୁନାହିଁ। ସେବେଠାରୁ ଚୀନ୍ରେ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ଗତିର ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ ଅସୁସ୍ଥ ବୟସ୍କମାନଙ୍କର ଅଧିକ ମୃତ୍ୟୁ ଘଟୁଛି।
