ଆଜି ଭବାନୀପାଟଣାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଭବାନୀପାଟଣା : ଆଜିି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଂଟିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ଼ । ଭବାନୀପାଟଣା ଓୟୁଏଟି ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିନ ୧୧ଟାରେ ଭବାନୀପାଟଣାରେ ପହଂଚି ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଯୋଜନାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଂଟନ କରିବେ । କୋଭିଡ କଟକଣା ମଧ୍ୟରେ ମୋଟ ୩ଶହ ଜଣଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ସେହିପରି ଓୟୁଏଟି ପଡିଆରେ ଆଉ ଏକ ସଭାର ଆୟୋଜନ କରାଯାଇଛି। ଯେଉଁଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ନମନ୍ତ୍ରିତ ଅତିଥି ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିବା ପରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ମନ୍ତ୍ରୀ ମାନଙ୍କ ଦ୍ବାରା ଜିଲ୍ଲାର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।ଏହି ଅବସରରେ ବିଜେଡ଼ି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ରିଷିଗାଁ ଠାରୁ ବାହାରି ନୂଆ ବସଷ୍ଟାଣ୍ଡ ଠାରେ ପହଂଚିବ । ପରେ ସେଠାରୁ ବିଜେଡ଼ିର ଏକ ସ୍ୱାଗତ ଶୋଭାଯାତ୍ରା ଆୟୋଜିତ ହେବ । ବସଷ୍ଟାଣ୍ଡ ଠାରୁ ଓୟୁଏଟି ପଡ଼ିଆ ଯାଏଁ ମହିଳା ମାନଙ୍କୁ ନେଇ ଏହି ସ୍ୱାଗତ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ କାର୍ଡ଼ ବଂଟନ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟାହ୍ନରେ ସେଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡିରେ ଗତ କିଛି ଦିନ ଧରି ରାଜନୀତି ଉଷ୍ମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ସତର୍କ ରହିଛି। ସେପଟେ ବିରୋଧୀ ବି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ୧ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଡକରା ଦେଇଛି। ଏପଟେ ବିଜେପି ବି ସମାଜିକ ବାସନ୍ଦ କରିବାକୁ ଆହ୍ବାନ ଦେଇଛି। ବିରୋଧୀଙ୍କର ଏଭଳି ପ୍ରତିବାଦକୁ ନେଇ ବଜେଡି କହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନରେ ମୁଖ୍ୟମନ୍ତ୍ରୀ ଦୂରଦୂରନ୍ତରେ ଲୋକଙ୍କୁ କାର୍ଡ ବଣ୍ଟନ କରି ଲୋକଙ୍କ ସହିତ ଯୋଡି ହେଉଛନ୍ତି। ଯାହା ବିରୋଧୀଙ୍କୁ ବିଚଳିତ କରୁଛି। ଏଥିରେ ବିଚଳିତ ହୋଇ ବିରୋଧୀ ଏଭଳି ବିରୋଧ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ତି ଗସ୍ତକୁ ସମୟରେ ବିରୋଧୀଙ୍କ ପ୍ରତିବାଦ ଓ ବିକ୍ଷୋଭକୁ ଆଖି ଆଗରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ମୁଖ୍ୟମନ୍ତ୍ରୀ କଳାହାଣ୍ଡି ପାଇଁ ହେଲଥ କାର୍ଡ ବଣ୍ଟନ କରିବା ସହିତ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।
