ହିମାଚଳରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ହିମାଚଳପ୍ରଦେଶ କିନ୍ନୋର ଜିଲାର ନିଗୁଲସରିରେ ବୁଧବାର ଅଚାନକ ବଡ଼ ବଡ଼ ପଥର ଖଣ୍ଡ ରେକଙ୍ଗ୍ ପିଓ-ଶିମ୍ଲା ଜାତୀୟ ରାଜପଥରେ ପଡ଼ିବା ଦ୍ୱାରା ଯାତ୍ରୀ ବସ୍, ଟ୍ରକ୍ ଏବଂ କେତେକ କାର୍ ପୋତି ହୋଇଯାଇଥିଲା। ଏନେଇ ଖବର ମିଳିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଟିବିପି, ସ୍ଥାନୀୟ ପୁଲିସ ଏବଂ ଏନ୍ଡିଆରଏଫ୍ ଟିମ। ଗତକାଲି ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ୨ଜଣଙ୍କୁ ଏବଂ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ମୃତ୍ୟୁସଂଖ୍ୟା ୧୩ଥିବା ବେଳେ ଏବେ ୧୫କୁ ବୃଦ୍ଧି ପାଇଛି। ତେବେ ଏପର୍ଯ୍ୟନ୍ତ ମାଟି ତଳେ ଚାପି ହୋଇ ରହିଥିବା ବସ୍, କାର୍ ଓ ଟ୍ରକର ପତ୍ତା ମିଳିନଥିବା ବେଳେ ସେଥିରେ ଥିବା ଯାତ୍ରୀଙ୍କ ପତ୍ତା ବି ମିଳିନାହିଁ।ରେକୋଙ୍ଗ ପିଓରୁ ଶିମଲା ଦେଇ ହରିଦ୍ୱାର ଅଭିମୁଖେ ଯାଉଥିବା ଏକ ଏଚ୍ଆର୍ଟିସି (ହିମାଚଳ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍) ବସ୍ କିନ୍ନୋରଠାରେ ଭୂସ୍ଖଳନର ଶିକାର ହୋଇଥିଲେ। ଏହା ପରେ ପରେ ସେହି ରାସ୍ତାରେ ଥିବା ଅନ୍ୟ ଗାଡ଼ି ମଧ୍ୟ ମାଟି ଅତଡ଼ା ତଳେ ଚାପି ହୋଇଯାଇଥିଲା। ଏହାଫଳରେ ପ୍ରାୟ ୪୦-୫୦ ଜଣ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ। ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିମାନଯୋଗେ କିନ୍ନୋରଠାରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି। କିନ୍ନୋର ଭୂସ୍ଖଳନ ଘଟଣାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ କଥା ହୋଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ମୋତେ କୁହାଯାଇଥିଲା।
