୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ପୂରି ଚାଲିଲା ୭୬ ବର୍ଷ । ୧୯୪୬ ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକଙ୍କ ଜନ୍ମ । ୨୧ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଭାରତୀୟ ରାଜନୀତିର ଅନ୍ୟତମ ସଫଳ ବ୍ୟକ୍ତିତ୍ବ ନବୀନ । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ । କୋଭିଡ ଯୋଗୁଁ ଗତ ଦେଢ ବର୍ଷ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି । ପୂର୍ବରୁ ନବୀନଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୂମଧାମରେ ପାଳନ କରୁଥିଲେ । ନବୀନ ନିବାସରେ ହଜାର ହଜାର ସମର୍ଥକଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି ନବୀନ । କେତେବେଳେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ତ ପୁଣି କେବେ କରୋନା ମହାମାରୀ ପାଇଁ ଜନ୍ମଦିନ ପାଳୁନାହାନ୍ତି ନବୀନ । ଚଳିତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ।
