୫ଟି ଜିଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର ୨୯ଟି, ମୟୁରଭଞ୍ଜର ୬୦ଟି ଓ ଖୋର୍ଦ୍ଧାର ୩୮ଟି ସ୍କୁଲ ରହିଛି । ଆଜି ସୁଦ୍ଧା ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।
ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ମଷବକ୍ଷକ୍ଷରଦ୍ଭଶରକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।” ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ୱାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ । ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । ମାଲକାନଗିରିର ପାପୁନି ମାଣ୍ଡି, ଝାରସୁଗୁଡାର ଶାଳିନୀ ତ୍ରିପାଠୀ, କଳାହାଣ୍ଡିର କୁମୁଦିନୀ ବନ୍ଦିଛୋଡ, ମୟୁରଭଞ୍ଜର ମଧୁସ୍ମିତା ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲାର ଉଦୟ ପ୍ରକାଶ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଗାଁ ଭିତରେ ସ୍କୁଲ ହିଁ ବର୍ତମାନ ଆମର ସବୁଠାରୁ ବଡ ଆକର୍ଷଣ । ଏହି ରୂପାନ୍ତରିତ ସ୍କୁଲରେ ଉପଲବ୍ଧ ଥିବା ସ୍ମାର୍ଟ ସୁବିଧା ଆମକୁ ଉତ୍ସାହିତ କରିଛି । ଏହା ଆମର ଲକ୍ଷ୍ୟ ପୂରଣ ପାଇଁ ଆମର ମନୋବଳକୁ ଦୃଢ କରିଛି । କାର୍ଯ୍ୟକ୍ରମରେ ମାଲକାନଗିରିରେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝାରସୁଗୁଡାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, କଳାହାଣ୍ଡିରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ମୟୁରଭଂଜରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ।
ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ କଟକ-ଭୁବନେଶ୍ୱରର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରି ପିଲାମାନଙ୍କୁ ଲକ୍ଷ୍ୟ ପୂରଣ ପାଇଁ ଦୃଢ ମନୋବଳ ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ରୂପାନ୍ତରିତ ସ୍କୁଲର ମିଳୁଥିବା ଆଧୁନିକ ସୁବିଧାର ସଂପୂର୍ଣ୍ଣ ଉପଯୋଗ କରିବା ପାଇଁ ସେ ଶିକ୍ଷକ ଓ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସାହୁ କଳାହାଣ୍ଡିର ମାଣିକେଶ୍ୱରୀ ହାଇସ୍କୁଲ ଛାତ୍ର ଥିଲା ବେଳେ ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ଛାତ୍ର ଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପି.କେ. ଜେନା ଓ କୃଷି ଉତ୍ପାଦନ କମିଶନର ଆର.କେ ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଆସନ୍ତା ୨୪ ତାରିଖ ଦିନ ଏହା ସଂପୂର୍ଣ୍ଣ ହେବ ।
