ଚାକିରି ଦେବା ନାଆଁରେ ଠକେଇ: ଭୁବନେଶ୍ୱରରୁ ୩ ଗିରଫ
ଭୁବନେଶ୍ୱର : ଚାକିରି କରାଇଦେବାକୁ କହି ବେଙ୍ଗାଲୁରୁରେ ଠକାଇ କରି ଓଡ଼ିଶାରେ ଆତ୍ମଗୋପନ କରିଥିଲେ ତିନି ଅଭିଯୁକ୍ତ । ଶନିବାର ସେମାନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ୍ । ୨୦ ଲକ୍ଷ ଠକେଇ ଅଭିଯୋଗ ରେ ଭୁବନେଶ୍ୱର ରୁ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ୍ । ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସହାୟତାରେ ବେଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଥିବା ବେଳେ ଜଣେ ମହାରାଷ୍ଟ୍ର ପୁଣେ ଅଂଚଳର ବୋଲି ଜଣାପଡ଼ିଛି ।
୨୦୧୮ ମସିହାରେ ହୋଇଥିଲା ଏହି ଠକେଇ । ସଫ୍ଟୱେର କମ୍ପାନୀରେ ଚାକିରି କରାଇ ଦେବାକୁ କହି ତିନି ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ । ଏମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଥିଲା । ମାତ୍ର ଠକମାନେ ବାରମ୍ୱାର ଠିକଣା ପରିବର୍ତନ କରୁଥିବାରୁ ସେମାନଙ୍କୁ ପୁଲିସ ଗିରଫ କରିପାରୁନଥିଲା । ତେବେ ତିନି ଅଭିଯୁକ୍ତ ଭୁବନେଶ୍ୱରରେ ଥିବା ଜାଣିବାକୁ ପାଇଥିଲା ବାଙ୍ଗାଲୁରୁ ପୁଲିସ୍ । ଏହା ପରେ କମିଶନରେଟ୍ ପୁଲିସ୍ର ସହାୟତା ନେଇଥିଲା । ଚନ୍ଦ୍ରଶେଖରପୁର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ବେଙ୍ଗାଲୁରୁ ପୁଲିସକୁ ହସ୍ତାନ୍ତର କରିଛି । ବେଙ୍ଗାଲୁରୁ ପୁଲିସ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।
