ଶସ୍ତା ହେଲା କୋଭିଶିଲ୍ଡ ଏବଂ କୋଭାକ୍ସିନର ବୁଷ୍ଟର୍ ଡୋଜ୍; ଜାଣନ୍ତୁ ନୂଆ ଦାମ୍
ନୂଆଦିଲ୍ଲୀ : ରବିବାର ଠାରୁ ଦେଶର ଘରୋଇ ହସ୍ପିଟାଲଗୁଡ଼ିକରେ ବୟସ୍କ ନାଗରିକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଆରମ୍ଭ ହେବ । ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ନିଜର ବୁଷ୍ଟର ଡୋଜର ମୂଲ୍ୟ ହ୍ରାସ କରିଛନ୍ତି ।
ଶନିବାର ଦିନ, କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ନିଜର ବୁଷ୍ଟର ଡୋଜର ମୂଲ୍ୟକୁ ହ୍ରାସ କରିଛନ୍ତି । ଏହାପୂର୍ବରୁ କୋଭିଶିଲ୍ଡର ବୁଷ୍ଟର୍ ଡୋଜ୍ ପ୍ରତି ସଟ୍ ୬୦୦ ଟଙ୍କା ସ୍ଥିର କରାଯାଇଥିଲା, ଆଜି ଏହାର ମୂଲ୍ୟ ହ୍ରାସ କରାଯାଇ ୨୨୫ ଟଙ୍କା କରାଯାଇଥିବା ବେଳେ କୋଭାକ୍ସିନର ବୁଷ୍ଟର୍ ଡୋଜରେ ସଟ୍ ପିଛା ୨୨୫ ଟଙ୍କା କରାଯଇଛି । ଏହାପୂର୍ବରୁ, କୋଭାକ୍ସିନ୍ ଏହାର ବୁଷ୍ଟର୍ ଡୋଜର ମୂଲ୍ୟ ପ୍ରତି ସଟ୍ ପିଛା ୧୨୦୦ ଟଙ୍କା ସ୍ଥିର କରିଥିଲା । ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ ସଚିବଙ୍କ ସହ ବୁଷ୍ଟର ଡୋଜ ଯଥା ୧୮-୫୯ ବର୍ଷ ବୟସ ପାଇଁ ସତର୍କତାମୂଳକ ଡୋଜ ବିଷୟରେ ଏକ ବୈଠକ କରିଥିଲେ । ଏହି ବୈଠକରେ ସରକାର କହିଛନ୍ତି ଯେ ଟିକାକରଣ ପାଇଁ ବେସରକାରୀ କେନ୍ଦ୍ରଗୁଡ଼ିକ ସର୍ବାଧିକ ୧୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରିବେ ।
ସୂଚନା ଯେ, ଏପ୍ରିଲ୍ ୧୦ ରୁ ବେସରକାରୀ କେନ୍ଦ୍ରଗୁଡିକରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋରୋନା ଟିକା ଯଥା ବୁଷ୍ଟର୍ ଡୋଜ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଟିକାକରଣର ଦ୍ୱିତୀୟ ଡୋଜ ଗ୍ରହଣ କରିବାର ନଅ ମାସ ପୂରଣ କରିଛନ୍ତି, ସେମାନେ ଯୋଗ୍ୟ ହେବେ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର କୋୱିନ ୱେବସାଇଟରେ ଏଥିପାଇଁ ବୁକିଂ ସ୍ଲଟ୍ ମଧ୍ୟ ଆରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟରରେ କହିଛନ୍ତି ଯେ କୋରୋନା ବିରୋଧରେ ଲଢେଇ ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହେବ ।
