ଆଜି ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ, ଅପରାହ୍ଣ ୫ଟାରୁ ହେବ ଆରମ୍ଭ
ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ । ଯାହାକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ। ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦର୍ଶନ ଦେବେ। ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ଆଭୂଷିତ ହେବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।
ନିର୍ଘଣ୍ଟ ନୀତି ଅନୁଯାୟୀ, ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ତଥାପି ନୀତିକାନ୍ତି ସଅଳ ହେଲେ, ଅପରାହ୍ଣ ୩ଟାରୁ ସୁନାବେଶ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ରଥ ଆଗ ଦେଇ ଦର୍ଶନ ପାଇଁ ଛାଡ଼ି ଡାହାଣ ପାର୍ଶ୍ବରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ । ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ସିଲ୍ କରିବାକୁ ପୁଲିସ ପ୍ରଶାସନ ଯୋଜନା କରିଛି। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି। ଶୁକ୍ରବାର ଅଧରପଣା ନୀତି ହେବ । ଆଉ ଜୁଲାଇ ୧ ତାରିଖ ଶନିବାର ନିଳାଦ୍ରୀବିଜେରେ ନୀଳକନ୍ଦରକୁ ଅର୍ଥାତ୍ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ସେହିପରି ସୁନାବେଶ ସମୟରେ ରଥାରୁଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଆଜି ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୯୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।
