ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି
ଚଣ୍ଡିଗଡ : ପଞ୍ଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନି ସୋମବାର ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି । ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି । ପଞ୍ଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ କଂଗ୍ରେସ ସେନା ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶ ତାଙ୍କ ସହିତ ସୁଖଜିନ୍ଦର ଏସ ରାନ୍ଧୱା ଏବଂ ଓମପ୍ରକାଶ ସୋନି ଦୁଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇ ନଥିବାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିଲେ। ଚନ୍ନି ପଞ୍ଜାବର ପ୍ରଥମ ଦଳିତ ଶିଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସହିତ ଶପଥ ନେଇଥିବା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଜାଠ ଶିଖ ସମୁଦାୟ ଏବଂ ଅନ୍ୟଜଣକ ହିନ୍ଦୁ ସମୁଦାୟଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ଶପଥ ନେବାକୁ ଯିବା ପୂର୍ବରୁ ଚନ୍ନି ରୁପନଗର ଗୁରୁଦ୍ୱାରାରେ ପୂଜାର୍ଚ୍ଚନା କରିଥିଲେ।
ସୂଚନା ଯେ, ଚନ୍ନି ଏହାକୁ ମିଶାଇ ତିନିଥର ରୁପନଗର ଚାମକଉର ସାହିବ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କ୍ୟାପଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରିମଣ୍ଡଳରେ ସେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। ୨୦୧୫ରେ ଚନ୍ନି ପଞ୍ଜାବର ଚତୁର୍ଦ୍ଦଶ ବିଧାନସଭାରେ ଗୃହରେ ବିରୋଧୀଦଳ ନେତା ଭାବରେ କାର୍ଯ୍ୟ କରିଥିଲେ।
