ଆଜି ୧୧ ଜିଲାରେ ବର୍ଷା ସମ୍ଭାବନା, ୟେଲ୍ଲୋ ୱାର୍ଣ୍ଣିଂ ଜାରି
- ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
ଭୁବନେଶ୍ୱର : ରାଜ୍ୟରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲାରେ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ ଓ ବଲାଙ୍ଗୀର ରହିଛି । ସେସବୁ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାରୁ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ତେବେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବାରୁ ପୂର୍ବରୁ ସତର୍କ କରାଯାଇଛି ।
ସେହିପରି ଜୁନ୍ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ଏହାପରେ ସାମାନ୍ୟ ପରିବର୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି; ଜୁନ୍ ୧୮ ଓ ୧୯ରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ନାହିଁ। ନିମ୍ନ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଞ୍ଜାବଠାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ୧୮ ଓ ୧୯ରେ ଏହାର ପୂର୍ବ ଭାଗ ଭିତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ୧୮ରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଏବଂ ୧୯ରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିବ। ୧୮ ଓ ୧୯ରେ ମୟୂରଭଞ୍ଜ, କେନ୍ଦୁଝର, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା(୬୫ ମିମିରୁ ଅଧିକ) ହୋଇପାରେ। ୧୯ରେ ଅବିଭକ୍ତ କଳାହାଣ୍ଡି, କୋରାପୁଟ, ଗଞ୍ଜାମରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ୨୧ରେ ସମଗ୍ର ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।
