ମମିତା ମେହେରଙ୍କ ପରିବାରକୁ ଭେଟିଲେ ମହିଳା କମିସନ ଅଧ୍ୟକ୍ଷା
ବଲାଙ୍ଗୀର : ମମିତା ମେହେର ହତ୍ୟା ମାମଲାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ । ଆଜି ମମିତା ମେହେରଙ୍କ ଘରେ ପହଞ୍ଚିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା। ବଲାଙ୍ଗୀର ଜିଲ୍ଲାର ତୁରେକେଲା ଝରଣୀ ଗାଁକୁ ଯାଇ ମହିଳା କମିସନ ଅଧ୍ୟକ୍ଷା ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ମିନତି ବେହେରାଙ୍କ ସମେତ ୪ଜଣିଆ ଟିମ୍ ମଧ୍ୟ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ମହିଳା କମିସନ ଅଧ୍ୟକ୍ଷା ପୁରା ଘଟଣା ସଂପର୍କରେ ଜାଣିବାକୁ ଚାହିଁଛନ୍ତି। ଏପରିକି ପୁଲିସର ତଦନ୍ତ ଠିକ୍ ଦିଗରେ ଯାଉଛି ନା ନାହିଁ ଏବଂ ପରିବାର ଲୋକ ଏଥିରେ କେତେ ସନ୍ତୁଷ୍ଟ ସେନେଇ ପଚାରି ବୁଝିଛନ୍ତି। ମମିତାଙ୍କ ବାପା ମା’ଙ୍କୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନରେ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ସେ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।
ଶୁକ୍ରବାର ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ବଲାଙ୍ଗୀର ଯାଇଥିଲେ। ସେଠାରେ ବଲାଙ୍ଗୀର ଏସ୍ପି କୁଶଲକର ନିତିନ ଦଗୁଡୁଙ୍କୁ ଭେଟି ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ବୈଠକରେ ଖୁବ୍ଶୀଘ୍ର ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ ବୋଲି ଆୟୋଗ ଅଧ୍ୟକ୍ଷାଙ୍କୁ ବଲାଙ୍ଗୀର ଏସ୍ପି କହିଛନ୍ତି । ମମିତାଙ୍କ ପରିବାରକୁ ଭେଟିବା ପରେ କଳାହାଣ୍ଡି ଜିଲ୍ଲାକୁ ଯାଇ ଏସ୍ପିଙ୍କୁ ଭେଟି ପରିବାର ଲୋକଙ୍କ ସୁରକ୍ଷାର ବନ୍ଦୋବସ୍ତ ସମ୍ପର୍କରେ ପଚାରି ବୁଝିବେ । ସେଠାରୁ ମୃତଦେହ ମିଳିଥିବା କଳାହାଣ୍ଡି ମହାଲିଙ୍ଗ୍ ଷ୍ଟାଡିୟମ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଅପରାଧ ସ୍ଥଳ ପରିଦର୍ଶନ ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । ସେଠାରେ ଜିଲ୍ଲାପାଳ, ଏସ୍ପିଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଟିମ୍ରେ ମହିଳା ଆୟୋଗର ଅତିରିକ୍ତ ଏସପି ବିଜୟ ବାରୁଆ, ଇନ୍ସପେକ୍ଟର ସସ୍ମିତା ଦାସ, ଆଇନଗତ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ସାମିଲ୍ ଅଛନ୍ତି ।
