କଟକ ବଡମେଡିକାଲର ଅଧ୍ୟକ୍ଷ ତଥା ରାଜ୍ୟର ସୁନାମଧନ୍ୟ ଡା. ଧିରେନ୍ଦ୍ର ରାୟଙ୍କ ପରଲୋକ
ଯାଜପୁର : କଟକ ଏସ.ସି.ବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ସୋଆ ୟୁନିଭର୍ସିଟି ର ଉପ-କୁଳପତି ଡା. ଧିରେନ୍ଦ୍ର ରାୟ (୮୦)ଙ୍କର ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ସ୍ୱର୍ଗତ ରାୟ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଜମିଦାର ୰ ଶଶିଭୂଷଣ ରାୟଙ୍କ ପୁତ୍ର ଅଟନ୍ତି । ନିଜ ଗ୍ରାମ ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା କରି ଜନପ୍ରିୟ ହୋଇପାରିଥିଲେ । ଏଥି ସହ ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ଥିଲେ । ସେହିପରି ବିଭିନ୍ନ ଅନୁଷ୍ଠାନ ଓ ସମାଜ ସେବାରେ ଜଡିତ ରହି ବହୁ ସୁନାମଅର୍ଜନ କରିଥିଲେ । ଏସ.ସି.ବି ମେଡିକାଲ କଲେଜରେ ବରିଷ୍ଠ ସର୍ଜରୀ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ମେଡିକାଲ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ଏହା ପରେ ଭୁବନେଶ୍ୱର ସ୍ଥିର ସମ୍ ହସ୍ପିଟାଲର ଡ଼ିନ୍ ଭାବେ କାର୍ଯ୍ୟ କରିବା ସହ ସୋଆ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଭାବେ କାର୍ଯ୍ୟକରିଥିଲେ । ତେବେ ବୟସାଧିକ ରୋଗରେ ପୀଡିତ ଥାଇ ପରଲୋକ ଘଟିଥିବା ଜଣାପଡିଛି । ସ୍ତ୍ରୀ ଦୁତିକା ମହାନ୍ତି ଚର୍ମ ରୋଗର ଡାକ୍ତର ଅଛନ୍ତି । ପୁରୀର ସ୍ୱର୍ଗଦ୍ୱାର ଠାରେ ପରିବାର ବର୍ଗ ଓ ଭାଇ ବରିଷ୍ଠ ଆଇନଜିବୀ ପ୍ରତାପ କୁମାର ରାୟ ଓ ପ୍ରବୀର କୁମାର ରାୟଙ୍କ ସମେତ ବନ୍ଧୁ, ଶୁଭେଚ୍ଛୁଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁଅ ଦେବାଶିଷ ରାୟ ମୁଖାଗ୍ନି ଦେଇଥିଲେ । ଏହି ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ରାଜ୍ୟ ବିଜେଡି ସଙ୍ଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରମେଶ ସାମଲ, ଆଇନଜିବୀ ରାଜିବ ମହାନ୍ତି, ଯୁବନେତା ପ୍ରମୋଦ ପଣ୍ଡା, ଶିଶିର ଧଳ, ପ୍ରଦୀପ ମହାପାତ୍ର, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ଦେବେନ୍ଦ୍ର ପଣ୍ଡା, ଶ୍ୟାମ ସୁନ୍ଦର କର, ଭରତ ଚନ୍ଦ୍ର ପରିଡାଙ୍କ ସମେତ ବହୁବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।
