ଚୀନରେ କରୋନା ବଢ଼ୁଥିବାରୁ ରାଜ୍ୟମାନଙ୍କ ପାଇଁ ଏଡଭାଇଜରି ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଚୀନ, ଆମେରିକା, କୋରିଆ ଓ ଜାପାନରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଡଭାଇଜରୀ ଜାରି କରିଛନ୍ତି । ରାଜ୍ୟକୁ ଏକ ଚିଠି ଲେଖି ଜିନମ ସିକ୍ୟୁଏନ୍ସିଂର ପଜିଟିଭ ରିପୋର୍ଟ ପଠାଇବାକୁ କେନ୍ଦ୍ର ସରକାର କହିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନସୀଡୀସୀ ଏବଂ ଆଇସିଏମଆପକୁ ବି ଚିଠି ପଠାଇଛନ୍ତି । ଏଥିରେ ଜିନୋମ ସିକ୍ୟୁଏନ୍ସିଂ ଉପରେ ଖାସ୍ ଧ୍ୟାନ ଦେବାକୁ କୁହାଯାଇଛି ।
ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ସଚିବ ରାଜେଶ ଭୂଷଣ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ପଜିଟିଭ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ଜେନୋମ ସିକ୍ୱେନ୍ସିଂ ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା କରୋନାର ଭ୍ୟାରିଏଣ୍ଟଗୁଡ଼ିକୁ ଠିକଣା ସମୟରେ ଚିହ୍ନଟ କରାଯାଇପାରିବ। ଭାରତୀୟ ସାର୍ସ କୋଭ-୨ ଜେନୋମିକ କନସୋରିଟଅମ(ଆଇଏନଏସଏସିଓଜି) ନେଟୱର୍କ ଦ୍ୱାରା ଭ୍ୟାରିଏଣ୍ଟକୁ ଟ୍ରାକ କରିବାକୁ ହେବ। ଦେଶରେ ନୂଆ ଭାରିଏଣ୍ଟ ପ୍ରବେଶ କରିଛି କି ନାହିଁ, ସେକଥା ଜାଣିବା ପାଇଁ ତୁରନ୍ତ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବା ଦାରକାର। ସ୍ଥିତିକୁ ଦେଖି ଉପଯୁକ୍ତ ସ୍ୱାସ୍ଥ୍ୟ ଜନିତ ପଦକ୍ଷେପ ନେଇ ହେବ। ତେଣୁ ସମସ୍ତ ରାଜ୍ୟ ଯଥା ସମ୍ଭବ ପଜିଟିଭ କେସ୍ଗୁଡ଼ିକର ନମୁନା ଉପଯୁକ୍ତ ଲ୍ୟାବକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ସେ କହିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କୁ ଚିଠି ଲେଖି ବର୍ତ୍ତମାନ ସମୟରେ ଲୋକମାନେ ସଂକ୍ରମିତ ହେଉଥିବା ଭ୍ୟାରିଏଣ୍ଟର ଟ୍ରେଣ୍ଡ କ’ଣ ରହିଛି, ତା’ର ସମୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି। ଭାରତରେ ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକା ଓ କୋଭିଡ୍ର ଉଚିତ ବ୍ୟବହାର ଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିଛି। ଏବେ ସାପ୍ତାହିକ ସମଗ୍ର ଦେଶରେ ପ୍ରାୟ ୧୨ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ବିଶ୍ୱର ସାପ୍ତାହିକ ସଂକ୍ରମଣ ୩୫ ଲକ୍ଷ ରହିଛି। ତେଣୁ ଏଥିପ୍ରତି ସତର୍କ ରହିବାକୁ ସେ ଚିଠିରେ କହିଛନ୍ତି ।
