ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଫକୀରମୋହନ ସାହିତ୍ୟ ଘର ଆନୁକୂଲ୍ୟରେ ଶୁକ୍ରବାର ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଓଡ଼ିଆ ଏକ ବିଜ୍ଞାନ ସମ୍ମତ ଭାଷା ଏବଂ ଏହି ଭାଷାର ବ୍ୟବହାରିକ ଦିଗ ପ୍ରତି ସମସ୍ତ ଓଡ଼ିଆ ସଚେତନ ରହିବା ଉଚିତ୍ ବୋଲି ମତ ଦେଇଥିଲେ ।
ସ୍ନାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ ଓଡ଼ିଆ ବର୍ଣ୍ଣମାଳାର ସ୍ୱତନ୍ତ୍ର ଶାସ୍ତ୍ରୀୟ ଲକ୍ଷଣ ବିଷୟରେ ଆଲୋଚନା କରି ଓଡ଼ିଆ ଭାଷାର ଶାସ୍ତ୍ରୀୟ ରୂପ ଅତି ଆକର୍ଷଣୀୟ ଓ ଲୋକଚିତ୍ତ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ମତ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଭୂତପୂର୍ବ ଅଧ୍ୟକ୍ଷ ତଥା ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଓଡ଼ିଆ ଭାଷା ଆମର ଜାତୀୟ ଅସ୍ମିତା, ତେଣୁ ଭାଷା ବଞ୍ôଚ ରହିଲେ ଜାତି ବଞ୍ôଚ ରହିବ ବୋଲି ମତ ଦେଇଥିଲେ । ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ଭାଷାର ମୌଳିକ ଓ ସ୍ୱତନ୍ତ୍ର ଶାସ୍ତ୍ରୀୟ ଲକ୍ଷଣ ସମ୍ପର୍କରେ ଆଲୋଚନା କରି ଓଡ଼ିଆ ଭାଷା ବିଶ୍ୱର ଏକମାତ୍ର ସ୍ୱରାନ୍ତ ଭାଷା ବୋଲି କହିଥିଲେ । ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡ. ଶିରିଷ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡ଼ିଆ ଭାଷାର ପ୍ରାଚୀନତା, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ସମ୍ଭବନା ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ସହଯୋଗୀ ପ୍ରଫେସର ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ର ବିଜୟ କୁମାର ଜେନା ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ସମ୍ପାଦକ ବବଲୁ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
