ସିଡିଏର ୧୩୨ତମ ବୈଠକ ଏକାଧିକ ଉନ୍ନୟନ କାମ ପାଇଁ ନିଷ୍ପତି; ସଂସ୍ଥା ହେବ ଲୋକାଭିମୁଖୀ
କଟକ : ଏକାଧିକ ଉନ୍ନୟନ କାର୍ଯ୍ୟ ସହ ସଂସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସକାଶେ କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ନିଷ୍ପତି ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ସିଡିଏର ୧୩୨ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସଂସ୍ଥା ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି ପାଇଁ ଏକ ‘ସିଟିଜେନ୍ ସେଣ୍ଟ୍ରିକ ସର୍ଭିସ୍’ ବ୍ୟବସ୍ଥା କରାଯିବା ସକାଶେ ପ୍ରସ୍ତାବ ଗ୍ରହଣ କରାଯାଇଛି । ସେଥିପାଇଁ ବୈଷୟିକ ଜ୍ଞାନ କୈାଶଳ ପ୍ରୟୋଗରେ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯିବ ଏବଂ ସାଧାରଣ ଲୋକଙ୍କୁ ସହଜରେ ସେବା ଯୋଗାଇଦିଆଯିବ ବୋଲି ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ କହିଛନ୍ତି । ଯାହା ଫଳରେ ଲୋକମାନେ ଅନଲାଇନରେ ସେମାନଙ୍କର ଦେୟ, ଅଭିଯୋଗ ଓ ସୂଚନା ଅଧିକାର ସଂପର୍କିତ ତଥ୍ୟ ଆଦି ପାଇପାରିବେ I ସିଡିଏ ଅଧୀନରେ ଥିବା ଅଂଚଳର ପରିସୀମା ବୃଦ୍ଧି କରାଯିବା ସକାଶେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସହରର ପାଶ୍ୱର୍ବର୍ତ୍ତୀ ୧୪୫ଟି ଗ୍ରାମକୁ ଏଥିରେ ସାମିଲ କରାଯିବ । ସେକ୍ଟର ୧୨ ଓ ୧୩ ବିଜୁ ପଟ୍ଟନାୟକ ପାର୍କର ଦକ୍ଷିଣ ପାଶ୍ୱର୍ ଜମି ଓ ପେଟାନାଳ ନିକଟରେ ଥିବା ୨.୮୩ ଏକରକୁ ପ୍ଲଟିଂ କରାଯାଇ ଆବଣ୍ଟନ ସକାଶେ ଚିହ୍ନଟ କରାଯିବ । ଏତଦ୍ ବ୍ୟତୀତ ୬ ନମ୍ବର ସେକ୍ଟରରେ ସିଡିଏର ନୂତନ ମୁଖ୍ୟ କାର୍ଯ୍ୟାଳୟ ପାଇଁ ଏକ ୬ ମହଲା ବିଶିଷ୍ଟ ସୈାଧ ନିର୍ମାଣ କରାଯାଇ ଅରୁଣୋଦୟ ନଗର କମ୍ପେ୍ଲକ୍ସକୁ ପୁନଃ ନିର୍ମାଣ ପରେ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ରାଜସ୍ୱ ବୃଦ୍ଧି ସକାଶେ ଅଧିକ ଗୁରୁତ୍ୱ ଦିଆଯିବ ଓ ପ୍ରଥମ ଥର ପାଇଁ ମିଶନ ଶକ୍ତି ମହିଳାମାନଙ୍କୁ ନିୟୋଜିତ କରାଯାଇ ବିଭିନ୍ନ ପ୍ରକାର ଦେୟ ଆଦାୟ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଅବସରରେ ଛୋଟ ଛୋଟ ଭୁଲ୍ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ୧୫୫ ଜଣଙ୍କ ଅଭିଯୋଗକୁ ନିୟମର ସରଳୀକରଣ କରାଯାଇ ସମାଧାନ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ସିଏମସି ମେୟର ସୁବାସ ସିଂହ, ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ସିଡିଏ ସଚିବ, ଫାଇନାନ୍ସ ମେମ୍ବର, ପ୍ଲାନିଂ ମେମ୍ବର, ଇଂଜିନିୟରିଂ ମେମ୍ବର ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।
