୩ଟି ବାଇକ୍ ଉପରେ ଚଢିଗଲା ମାଲ ବୋଝେଇ ଟ୍ରକ୍ : ଘଟଣାସ୍ଥଳରେ ୬ ମୃତ, ୯ ଆହତ
ଭୟଙ୍କର ସଡ଼କ ଦୁର୍ଘଟଣା । ଚାହୁଁଚାହୁଁ ଚାଲିଗଲା ୬ ନିରିହ ଜୀବନ । ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ, ମୃତକଙ୍କ ପରିଚୟ ମିଳି ନଥିବା ପୋଲିସ୍ କହିଛି । ଏକ ମାଲ ବୋଝେଇ ଟ୍ରକ୍ ତିନିଟି ବାଇକ୍ ଆରୋହୀଙ୍କ ଉପରେ ଚଢିଯିବାରୁ ଏହି ଛାତିଥରା ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେଙ୍ଗାଲପାଟୁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ତାମିଲନାଡୁର ଚେଙ୍ଗାଲପାଟୁରୁ ଚେନ୍ନାଇ ଅଭିମୁଖେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ଏକ ଟ୍ରକ୍ କିଛି ମାଲ୍ ନେଇ ଯାତ୍ରା କରୁଥିଲା। ସେହି ସମୟରେ ଜାତୀୟ ରାଜପଥରେ ତିନୋଟି ବାଇକରେ ୬ ଜଣ ସାଙ୍ଗ ସେହି ରାସ୍ତା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିଲେ। କିନ୍ତୁ ହଠାତ୍ ମାଲ ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ,ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ରହିଛି । ପୋଲିସ୍ ଟ୍ରକଟିକୁ ଜବତ କରିଛି । ଏବଂ ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ଶୁକ୍ରବାର ଦିନ ମଧ୍ୟ ଗୁଜୁରାଟ ଅହମ୍ମଦାବାଦ ନିକଟସ୍ଥ ବାଭଲା-ବାଗୋଦରା ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳଏ ଅନେକ ଆହତ ହୋଇଛନ୍ତି । ଖବର ଅନୁସାରେ ଏକ ଟ୍ରକ୍ ପଛରେ ଏକ ମିନି ଟ୍ରକ୍ ଧକ୍କା ହେବା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ, ଯେତେବେଳେ ଏକ ପଙ୍କଚର ଟ୍ରକ ରାସ୍ତାରେ ଠିଆ ହୋଇଥିଲା, ଟ୍ରକ ପଛରେ ଏକ ଟାଟାଏସି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିଲା । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ମୃତ ବ୍ୟକ୍ତିମାନେ କପଦଭଞ୍ଜର ସୁଧା ଗାଁର ବାସିନ୍ଦା । ଏହି ଦୁର୍ଘଟଣାରେ ୫ ମହିଳା, ୩ ଶିଶୁ ଓ ୨ ପୁରୁଷଙ୍କର ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ କନଭେନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ହସ୍ପିଟାଲକୁ ନେବାକୁ ଉଦ୍ୟମ ଜାରି ରଖିଛି ।
