ଏସିଆ କପ୍ ବିଜୟର ଶ୍ରେୟ ବୋଲରଙ୍କୁ ଦେଲେ ଅଧିନାୟକ ହରମନପ୍ରୀତ
ନୂଆଦିଲ୍ଲୀ : ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ରଚିଲା ନୂତନ ଇତିହାସ। ପୁଣି ଥରେ ଏସିଆ କପ୍ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଫାଇନାଲରେ ଶ୍ରୀଲଙ୍କାକୁ ୮ ଓ୍ବିକେଟରେ ହରାଇ ୭ମ ଥର ପାଇଁ ଏସିଆ ଚାମ୍ପିଅନ ହୋଇଛି ଭାରତୀୟ ଦଳ । ଏହି ବିଜୟ ସହ ପୁଣି ଥରେ ଏସୀୟ କ୍ରିକେଟରେ ନିଜର ଦବଦବା ଜାହିର କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଏପର୍ଯ୍ୟନ୍ତ ୮ଟି ଏସିଆ କପ ଟୁର୍ଣ୍ଣାମେଣ୍ଟ ହୋଇଥିବାବେଳେ ଭାରତ ୭ ଥର ଚାମ୍ପିଅନ ହୋଇଛି ।
ମ୍ୟାଚ୍ ପରେ ଅଧିନାୟକ ହରମନପ୍ରୀତ କୌର ମ୍ୟାଚ୍ ପରେ କହିଛନ୍ତି, ଏହି ବିଜୟର ସମସ୍ତ ଶ୍ରେୟ ବୋଲରଙ୍କର। ଆଜି ଆମର ବୋଲିଂ ଏବଂ ଫିଲ୍ଡିଂ ଚମତ୍କାର ରହିଛି। ଆପଣଙ୍କୁ ପିଚ୍କୁ ପଢି ସେହି ହିସାବରେ ଫିଲ୍ଡରଙ୍କୁ ରଖିବାକୁ ପଡିଥାଏ। ଆମେ ଏମିତି କଲୁ ଏବଂ ଏହାର ଲାଭ ଆମକୁ ମିଳିଛି। ଆମେ ସ୍କୋର ବୋର୍ଡକୁ ନଦେଖି ଛୋଟ ଛୋଟ ଲକ୍ଷ୍ୟକୁ ହାସଲ କରିବାକୁ ପ୍ରୟାସ କରିଥିଲୁ। ଏହା ହେଉଛି ମହିଳା ଏସିଆ କପ୍ର ଅଷ୍ଟମ ସଂସ୍କରଣ। ଆଉ ଏଥିରୁ ଭାରତ ହିଁ ସାତ ଥର ଚାମ୍ପିଅନ ହୋଇଛି। ଭାରତ ମହିଳା ଦଳ ଚାରି ଥର ଦିନିକିଆ ଫର୍ମାଟ୍ରେ ଖେଳା ଯାଇଥିବା ଏସିଆ କପ୍ ଜିତିଥିବା ବେଳେ ତିନି ଥର ଟି-୨୦ ଫର୍ମାଟ୍ରେ ଚାମ୍ପିଅନ ହୋଇଛି। ୨୦୧୮ ସଂସ୍କରଣକୁ ବାଦ୍ ଦେଲେ ବାକି ସମସ୍ତ ସଂସ୍କରଣରେ ଭାରତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଭାରତୀୟ ମହିଳା ଦଳ ଏହା ପୂର୍ବରୁ ୨୦୦୪, ୨୦୦୫-୦୬, ୨୦୦୮, ୨୦୧୨ ଏବଂ ୨୦୧୬ରେ ଏସିଆ କପ୍ ବିଜୟୀ ହୋଇଥିଲା। କେବଳ ୨୦୧୮ରେ ବାଂଲାଦେଶ ହାତରୁ ଭାରତ ଫାଇନାଲ୍ରେ ପରାଜିତ ହୋଇଥିଲା।
ବାଂଲାଦେଶର ସିଲହଟ ଠାରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତୀୟ ବୋଲିଂ ଆଗରେ ଶ୍ରୀଲଙ୍କା ଦଳ ବେଶୀ ସମୟ ତିଷ୍ଠି ପାରିନଥିଲା । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୬୫ ରନ କରିପାରିଥିଲା । ଭାରତ ପକ୍ଷରୁ ରେଣୁକା ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ରାଜେଶ୍ବରୀ ଗାଇକ୍ବା଼ଡ ଓ ସ୍ନେହ ରାଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଜବାବରେ ଭାରତୀୟ ଦଳ ୮.୩ ଓଭରରେ ୨ଟି ଓ୍ବିକେଟ ହରାଇ ୭୨ ରନ କରିବା ସହ ଫାଇନାଲକୁ ଜିତିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଅପରାଜିତ ୫୧ ରନ କରିଥିଲେ । ଅଧିନାୟିକା ହରମନପ୍ରିତ କୌର ଅପରାଜିତ ୧୧ ରନ କରିଥିଲେ ।
