ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର
ନୂଆଦିଲ୍ଲୀ : କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟନ ଅମରିନ୍ଦର ସିଂ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ଅମିତ ଶାହାଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ଅମିତଙ୍କ ବାସଭବନରେ ଉଭୟଙ୍କ ମଧ୍ୟ କୌଣସି ବିଷୟକୁ ନେଇ ଆଲୋଚନା ହୋଇଛି । କେନ୍ଦ୍ର କ୍ୟାବିଟେ୍ରେ ସେ ସାମିଲ ହୋଇପାରନ୍ତି ଏ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ବିଜେପିରେ ସାମିଲ ହେବା ନେଇ ଏ ପର୍ଯ୍ୟନ୍ତ କ୍ୟାପଟେନ ଅମରିନ୍ଦର କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି । ଅଳ୍ପ ଦିନ ତଳେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ତାଙ୍କ ପାଇଁ ସବୁ ଦଳରେ ରାସ୍ତା ଖୋଲା ରହିଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ ।
ବୈଠକ ଶେଷ ପରେ କ୍ୟାପ୍ଟେନ ନିଜେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ ଶ୍ରୀ ଶାହଙ୍କ ସହ କ’ଣ ଆଲୋଚନା କଲେ, ସେ ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଶାହଙ୍କ ସହ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି। #NoFarmersNoFood ହ୍ୟାଶଟ୍ୟାଗ ବ୍ୟବହାର କରି କ୍ୟାପ୍ଟେନ ଲେଖିଛନ୍ତି ଯେ “କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆଜି ଦିଲ୍ଲୀରେ ଭେଟିଛି। ଦୀର୍ଘ ଦିନ ଧରି ଚାଷୀମାନେ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନ ସମ୍ପର୍କରେ ତାଙ୍କ ସହ କଥା ହୋଇଛି। ତୁରନ୍ତ କୃଷି ଆଇନକୁ ପ୍ରତ୍ୟାହାର ଓ ଏମଏସ୍ପି ଉପରେ ଆଇନଗତ ମାନ୍ୟତା ନିଶ୍ଚିତ କରି ଚାଷୀଙ୍କ ସମସ୍ୟା ସାମାଧାନ କରିବାକୁ ମୁଁ ତାଙ୍କୁ ଅନୁରୋଧ କରିଛି।” ଏହାପୂର୍ବରୁ କ୍ୟାପ୍ଟେନ ଶ୍ରୀ ଶାହଙ୍କୁ ଭେଟିବାକୁ ଯିବା ବେଳେ ତାଙ୍କ ଟିମ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲା। ଅମରିନ୍ଦର ସିଂହ ଆଜି ଶାହଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଥିଲା। କିନ୍ତୁ ଏହି ରିପୋର୍ଟ ଭୁଲ ପ୍ରମାଣିତ ହୋଇଛି। ମଙ୍ଗଳବାର ଶ୍ରୀ ସିଂହ ଦିଲ୍ଲୀରେ ପହଞ୍ଚିବା ପରଠାରୁ ହିଁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୂଚନା ଯେ, ଗତ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଅମରିନ୍ଦରଙ୍କୁ ହଟାଇ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ କାରଣରୁ ସେ ଇସ୍ତଫା ଦେଇଥିବା ସର୍ବସମ୍ମୁଖରେ କହିଥିଲେ।
