ୱାର୍ଡ ସଭ୍ୟ ସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ
କଟକ : ସାମାଜିକ ସଂଗଠନ ଉତ୍କଳ ସେବକ ସମାଜ ଦ୍ୱାରା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ସହାୟତାରେ ସାଲେପୁର ବ୍ଲକର ମୁସ୍ତାରିପା, ଚମ୍ପତି, ପଶ୍ଚିମକଚ୍ଛ ଓ ଗୁଜରପୁର ପଂଚାୟତର ୱାର୍ଡ ସଭ୍ୟ ସଭ୍ୟାମାନଙ୍କର ଦକ୍ଷତା ବୃଦ୍ଧି ତାଲିମ ଶିବିର କସ୍ତୁରବା ଗାନ୍ଧି ମେମୋରିଆଲ୍ ଟ୍ରଷ୍ଟ୍ ତାଲିମ ଗୃହରେ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ଶୃଙ୍ଖଳିତ ଆଚରଣ ଓ ସମୟାନୁବର୍ତ୍ତିତା କୁ ଦୈନନ୍ଦିନ ଜୀବନରେ ପାଳନ କଲେ ପଂଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । ଉତ୍କଳ ସେବକ ସମାଜର ସଂପାଦକ ଅମୀୟ ଭୂଷଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କେ.ଜି.ଏନ୍.ଏମ୍.ଟ୍ରଷ୍ଟ ର ପ୍ରତିନିଧି ସଂଧ୍ୟାରାଣୀ ମଲ୍ଲିକ, ରେଡିଓ ଉତ୍କଳ ୯୧.୨ଏଫ୍.ଏମ୍ ର ନିର୍ଦ୍ଦେଶକ ଇଂ ଅନ୍ୱୟ ଅଭିନବ, ଶ୍ୱେତପଦ୍ମା ମହାସଂଘ ସଭାନେତ୍ରୀ ପ୍ରିୟମ୍ବଦା ନାୟକ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟସ୍ତରୀୟ ତାଲିମଦାତା ଅମିତ କୁମାର ମହାନ୍ତି ଓ ନିର୍ମଳା ବେହେରା ବିଷୟ ବିଷାରଦ ଭାବରେ ଯୋଗଦାନ କରି ଏହି ତ୍ରିଦିବସୀୟ ତାଲିମ ଶିବିରକୁ ସଂଚାଳନ କରୁଛନ୍ତି । ପ୍ରମୋଦ କୁମାର ଓଝା ଏହି ଶିବିରକୁ ପରିଚାଳନା କରିଥିବାବେଳେ ଅଶୋକ କୁମାର ସ୍ୱାଇଁ ସଂଯୋଜନା କରିଥିଲେ ।
