ରବିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ : ସ୍କାଏମେଟ୍
ଭୁବନେଶ୍ୱର : ରାଜ୍ୟରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ଫଳରେ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । ଆସନ୍ତା ରବିବାର ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସ୍କାଏମେଟ୍ ପକ୍ଷରୁ ଆକଳନ କରାଯାଇଛି । ଫଳରେ ଅଗଷ୍ଟ ମାସରେ ଦେଖା ଦେଇଥିବା ନିଅଣ୍ଟ ବର୍ଷା ମାସ ଶେଷ ବେଳକୁ ସ୍ଥିତିରେ ଟିକିଏ ସୁଧାର ଆଣିପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ମାତ୍ର ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ଏପରିକି ମାସ ଶେଷ ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ କହିଛି ।
ଗତ କାଲି ସ୍କାଏମେଟ କହିଥିଲା ଯେ, ଅଗଷ୍ଟ ୩୦ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଆଜି ସ୍କାଏମେଟ ନିଜର ଗତକାଲିର ପୂର୍ବାନୁମାନକୁ ଟିକିଏ ସଂଶୋଧିତ କରି କହିଛି ଯେ ଏହି ଲଘୁଚାପଟି ୨୯ ତାରିଖ ବେଳକୁ ସୃଷ୍ଟି ହେବ । ଏହା ପୂର୍ବରୁ ୨୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ପରବର୍ତ୍ତୀ ଦୁଇଦିନରେ ଏହା ଆହୁରି ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୭ରୁ ୨୯ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
