୧୭ ସୁଦ୍ଧା ଆଉ ଏକ ଲଘୁଚାପ ! ପ୍ରବଳ ବର୍ଷା ସମ୍ଭାବନା
୨୪ ଘଂଟାରେ ଅବପାତରେ ପରିଣତ ହୋଇପାରେ ବର୍ତମାନର ସୁଦୃଶ୍ୟ ଲଘୁଚାପ
ଭୁବନେଶ୍ୱର : ଆଗକୁ ଆସୁଛି ଆଉ ଏକ ଲଘୁଚାପ । ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ୱେଲମାର୍କ ଲୋ’ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତଟି ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହା ଉତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଥିବା ଆଇଏମ୍ଡି ଡିଜି କହିଛନ୍ତି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଓ ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହେବ । ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୨ ତାରିଖରେ ଆଭ୍ୟନ୍ତରଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଂଟା ମଧ୍ୟରେ ଗଜପତି, ଗଂଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, ବଲାଙ୍ଗିର, କୋରାପୁଟ, ବୌଦ୍ଧ ଓ ନୟାଗଡ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ନୂଆପଡା, ସୋନପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଳେଶ୍ୱର, ମୟୁରଭଂଜ, ପୁରୀ, କେନ୍ଦୁଝର, ମାଲକାନଗିରି, ବରଗଡ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲେଶ ୱାର୍ଣ୍ଣିଂ ଜାରି କରାଯାଇଛି ।
