ବସ୍-ଟାଭେରା ମୁହାଁମୁହିଁ ଧକ୍କା, ୧୧ ମୃତ
ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ପରତବାଡା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏକ ବସ୍ ଏବଂ ଟାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟାଭେରାରେ ଥିବା ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟାଭେରାକୁ କାଟି ମୃତଦେହ ବାହାର କରିବାକୁ ପଡ଼ିଥିଲା। ରାତି ପ୍ରାୟ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ସୂଚନା ଯେ, ଗୁଡ୍ଗାଓଁ ଏବଂ ଭୈଂସ୍ଦେହୀ ରାସ୍ତାରେ ଉପରୋକ୍ତ ସଡ଼କ ଦୁର୍ଘଟଣା ଘଟିଛି। ବୈତୂଲ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସିମାଲା ପ୍ରସାଦଙ୍କ କହିବା ଅନୁସାରେ, ଝଲ୍ଲାର ଥାନା ନିକଟରେ ବସ୍ ଓ କାର୍ ମଧ୍ୟରେ ଧକ୍କା ହୋଇଛି। ଚିକିତ୍ସା ନିମନ୍ତେ ଜଣେ ଆହତଙ୍କୁ ନିକଟତମ ଡାକ୍ତରଖାନାକୁ ନିଆଯାଇଛି।
ପୋଲିସ ସୂଚନା ଅନୁସାରେ, ରାତି ୨ଟା ବେଳେ ଝଲ୍ଲାର ଥାନା ଠାରୁ ପ୍ରାୟ ୨ କିଲୋମିଟର୍ ଦୂରରେ ଦୁର୍ଘଟଣା ଘଟିଛି। ଉକ୍ତ ‘ଏସ୍ୟୁଭି’ କାର୍ରେ ୧୧ଜଣ ଶ୍ରମଜୀବୀ ମହାରାଷ୍ଟ୍ରର ଅମରାବତୀରୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ବୈତୂଲ୍ ପୋଲିସ କଣ୍ଟ୍ରୋଲ୍ ରୁମ୍ ସହକାରୀ ସବ୍-ଇନ୍ପେକ୍ଟର୍ ଶିବରାଜ ସିଂହ ଠାକୁର ଗଣମାଧ୍ୟମକୁ କହିଛନ୍ତି, ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୬ କିଲୋମିଟର୍ ଦୂର ଭୈସ୍ଦେହୀ ରାସ୍ତାରେ ଉକ୍ତ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିବା ଉକ୍ତ ଦୁର୍ଘଟଣାରେ ୬ଜଣ ପୁରୁଷ, ୩ଜଣ ମହିଳା, ୫ ବର୍ଷର ଜଣେ ଝିଅ ଏବଂ ଜଣେ କୋଳଛୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ କାର୍ ମଧ୍ୟରୁ ତୁରନ୍ତ ୭ଟି ଶବ ଉଦ୍ଧାର କରିବା ସମ୍ଭବ ହୋଇଥିଲା। ଗ୍ୟାସ୍ କଟର୍ ଯୋଗେ ଦୁର୍ଘଟଣାରେ ଭାଙ୍ଗି ଚାପି ହୋଇଯାଇ ଥିବା କାର୍ଟିକୁ କାଟିବା ପରେ ବାକି ଶବ ବାହାର କରାଯିବ ବୋଲି ପୁଲିସ କହିଛି। ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭର୍ ଢୁଳାଇ ପଡ଼ିବାରୁ ‘ଏସ୍ୟୁଭି’ କାର୍ ବିପରୀତ ଦିଗରୁ ଆସୁଥିବା ଖାଲି ବସ୍ ସହିତ ଧକ୍କା ଖାଇଥିଲା।
