ସ୍କୁଟିକୁ ପଛପଟୁ ଧକ୍କା ଦେଲା ବସ, ଯୁବକ ମୃତ
ବସ୍ତା : ବାଲେଶ୍ଵର ଜିଲl ବସ୍ତା ଥାନା ଅଧିନ ପେଜଗଳା ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ସିଂଲା ଥାନା ଅନ୍ତର୍ଗତ ଜାମଶୂଳୀ ଗ୍ରାମର ଭଗବାନ ଗିରିଙ୍କ ସାନପୁଅ ଦିଲ୍ଲୀପ (୨୭) ।
ସୂଚନା ଯେ, ଶୁକ୍ରବାର ଦିଲ୍ଲୀପଙ୍କ ମଝିଆ ଭାଇଙ୍କ ବିବାହ ଉତ୍ସବ ଥିଲା । ସେ ଶନିବାର ମାର୍କେଟିଙ୍ଗ ପାଇଁ ସ୍କୁଟି ଯୋଗେ ବସ୍ତା ଆସିଥିଲେ । ମାର୍କେଟିଙ୍ଗ ସାରି ଘରକୁ ଫେରୁଥିବା ବେଳେ ପେଜଗଳା ପୋଲ ଠାରେ ସ୍କୁଟିର ପଛ ପଟୁ ଗାନ୍ଧିଛକରୁ ବାଲିଆପାଳ ଅଭିମୁଖେ ଯାଉଥିବା ଯଶୋଦା ନାମକ ଯାତ୍ରୀବାହି ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍କୁଟି ଚାଳକର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡିଛି । ଖବର ପାଇ ବସ୍ତା ଆଇଆଇସି ସୁବ୍ରତ ବେହେରା ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଯୋଗେ ବସ୍ତା ହସ୍ପିଟାଲ ପଠାଇ ବସକୁ ଜବତ କରିଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ ବସ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକ ଜଣକ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଚାକିରୀ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ ।
