ଜଳୁଛି ସମାକୋଇ ଓ କଳାପାଟ ସଂରକ୍ଷିତ ଜଙ୍ଗଲ, ସଙ୍କଟରେ ବନ୍ୟଜନ୍ତୁ
ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳର ଦୁଇଟି ସଂରକ୍ଷିତ ଜଙ୍ଗଲରେ ନିଆଁ । ସମାକୋଇ ଓ କଳାପାଟ ସଂରକ୍ଷିତ ଜଙ୍ଗଲରେ ଦିନରାତି ଜଳୁଛି ନିଆଁ । ଥମିବାର ନାଁ ଧରୁନି ନିଆଁର ପ୍ରକୋପ । ଫଳରେ ଏବେ ସଂଙ୍କଟରେ ବନ୍ୟଜନ୍ତୁ ତଥା ବୃକ୍ଷଲତା ।
ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଭିମକାଣ୍ଡ ପଞ୍ଚାୟତ ସମାକୋଇ ସଂରକ୍ଷିତ ଜଙ୍ଗଲର ଗୋଧିହୁଡି ଓ କାଣ୍ଡପଶି ଗାଁ ମଧ୍ୟରେ ଥିବା କୁକୁର ଖାଇ ଜଙ୍ଗଲ ଜଳୁଥିବା ବେଳେ, କଳାପାଟ ସଂରକ୍ଷିତ ଜଙ୍ଗଲର ବାଉଁଶିଆ ପାହାଡରେ ମଧ୍ୟ ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଜଳିଯାଉଛି ଏକର ଏକର ମୂଲ୍ୟବାନ ଜଙ୍ଗଲ । ନିଆଁର ଆଁ ଭିତରେ ହଜିଯାଉଛି ଶାଳ, ପିଆଶାଳ, ଭଳି ମୂଲ୍ୟବାନ ଗଛ ସହ ଔଷଧିୟ ଗୁଳ୍ମ । ଜଙ୍ଗଲ ଜଳିବା ଯୋଗୁଁ ଧିରେ ଧିରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରେ ଥିବା ବାରାହା, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ୧୦ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ର ପ୍ରକୋପ ଜାରି ରହିଛି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ବିଫଳ ହୋଇଥିବା ବେଳେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କାର୍ଡ, ବନସୁରକ୍ଷା ସମିତି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କୌଣସୀ ସୁଫଳ ମିଳିପାରୁନାହିଁ ଯାହା ବନବିଭାଗ ର ପାରିବା ପଣିଆକୁ ପଦାରେ ପକାଇଛି ।
ସୂଚନା ଯେ, ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉଁ ଥାଉଁ ବନବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ଜୀବଯନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।
