ଜାହାଙ୍ଗୀରପୁରୀରେ ଚାଲିଲା ବୁଲଡୋଜର, ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଦିନ ହିଂସା ଘଟିଥିଲା । ବର୍ତ୍ତମାନ ପ୍ରଶାସନ ହିଂସାକାଣ୍ଡର ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅଭିଯୁକ୍ତଙ୍କ ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇବା ଆରମ୍ଭ ହୋଇସାରିଛି । କିନ୍ତୁ ସୁପ୍ରିମକୋର୍ଟ ଏମସିଡି ବୁଲଡୋଜର ଚଲାଇବା ଉପରେ ରୋକ ଲଗାଇଛନ୍ତି । ଏହାସହ କୋର୍ଟ ଯଥାସ୍ଥିତି ବଜାୟ ରଖିବାକୁ କହିଛନ୍ତି । ଆସନ୍ତାକାଲି ଏହି ମାମଲା ଉପରେ ପୁଣିଥରେ ଶୁଣାଣି ହୋଇପାରେ । ସେପଟେ ଉତ୍ତର ଦିଲ୍ଲୀ ନଗର ନିଗମର ଏହି ନିଷ୍ପତ୍ତିକୁ ଏଆଇଏମଏମ ପ୍ରମୁଖ ଅସଦୁଦ୍ଦିନ ଓୱେସୀ ଓ ଆପ୍ ନେତା ଅମାନତୁଲ୍ଲାହ ବିରୋଧ କରିଛନ୍ତି । କେବଳ ଏତିକି ନୁହଁ ଓୱେସୀ ଏହାକୁ ନେଇ ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଚିହ୍ନଟ ଉଠାଇଛନ୍ତି ।
ନର୍ଥ ଏମସିଡି କହିଛି ଯେ, ବର୍ତ୍ତମାନ ଆମକୁ ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ବିରୋଧରେ ଚାଲିଥିବା ଅଭିଯାନ ଉପରେ ସୁପ୍ରିମକୋର୍ଟଙ୍କ ଆଦେଶ ବିଷୟରେ ସୂଚନା ମିଳିଛି । ପ୍ରଥମେ ଆମେ ଆଦେଶ ପଢ଼ିବୁ ଓ ଏହା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସେପଟେ ସୁପ୍ରିମକୋର୍ଟର ଆଦେଶ ସତ୍ତ୍ୱେ ଏମସିଡି ଏପର୍ଯ୍ୟନ୍ତ ନିଜର କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିନାହିଁ । ଏଠାରେ କହି ରଖୁଛୁ ଯେ, ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକାଣ୍ଡରେ ସାମିଲ ଅଭିଯୁକ୍ତଙ୍କ ଅବୈଧ ସମ୍ପତ୍ତି ଉପରେ ବୁଧବାର ଅର୍ଥାତ ଏପ୍ରିଲ ୨୦ରେ ବୁଲଡୋଜର ଚଲାଯାଇଛି । ଉତ୍ତର ଦିଲ୍ଲୀ ନଗର ନିଗମ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ଅବୈଧ ସମ୍ପତ୍ତି ଓ ଜବରଦଖଲ ଉପରେ କରାଯାଇଛି । ଏପ୍ରିଲ ୧୧ରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କିନ୍ତୁ ଏଥର ଜବରଦଖଲକୁ ହଟାଇବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରିଛି । ଏହା ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ହୋଇସାରିଛି ବୋଲି ଏମସିଡି କହିଛି । ବର୍ତ୍ତମାନ ଏହି କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ପ୍ରାୟ ୧୫୦୦ ଯବାନ ମୁତୟନ କରାଯାଇଛି ।
ସୂଚନା ଯେ, ଜାହାଙ୍ଗୀପୁରୀରେ ହନୁମାନ ଜୟନ୍ତୀ ଦିନ ହିଂସାକାଣ୍ଡ ଘଟିଥିଲା । ଯାହା ପରେ ଉତ୍ତର ଦିଲ୍ଲୀ ନଗର ନିଗମ ଅଭିଯୁକ୍ତଙ୍କ ଅବୈଧ ନିର୍ମାଣ ଉପରେ ଏପ୍ରିଲ ୨୦ ଓ ୨୧ରେ ବୁଲଡୋଜର ଚଲାଇବାକୁ ଘୋଷଣା କରିଛି । ବିଜେପି ମଧ୍ୟ ଅଭିଯୁକ୍ତଙ୍କ ଅବୈଧ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବାକୁ ଦାବି କରିଛି । ଏହା ପୂର୍ବରୁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜୁରାଟରେ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
