ଆଜି ଠାରୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ
ଦୁଇଟି ପର୍ଯ୍ୟାୟରେ ଚାଲିବ, ୨୪ରେ ବଜେଟ ଉପସ୍ଥାପନ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ଯାଏଁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ଯାଏଁ ଗୃହଚାଲିବ ।
ଦ୍ୱାଦଶ ଅଧିବେଶନର କାର୍ଯ୍ୟସୂଚୀ ଅନୁଯାୟୀ ଏହି ବିଧାନସଭା ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହେବ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ୨୨ ଓ ୨୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଫେବୃଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । ଫେବୃଆରୀ ୨୭ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ମାର୍ଚ୍ଚ ୧୦ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଅଭିବେଶନ ଆରମ୍ଭ ହେବା ସହ ସ୍ଥାୟୀ କମିଟି ମାନଙ୍କର ରିପୋର୍ଟ ଉପସ୍ଥାପନ ହେବ । ମାର୍ଚ୍ଚ ୧୩, ୧୪, ୧୫ , ୧୬, ୧୭,୧୮,୨୦, ୨୧,୨୨,୨୩,୨୪ ,୨୭,୨୮,ଓ ୨୯ ତାରିଖରେ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଆଗତ ହେବ । ମାର୍ଚ୍ଚ ୩୧ ତାରିଖରେ ୨୦୨୩-୨୪ ବର୍ଷ ପାଇଁ ବିନିୟୋଗ ବିଲ୍ ଉପସ୍ଥାପନ କରାଯିବ । ଏହାପରେ ଏପ୍ରିଲ୍ ୩ ଓ ୫ ତାରିଖ ସରକାରୀ କାର୍ଯ୍ୟ ଦିବସ ରହିଥିବା ବେଳେ ୪ ଓ ୬ ତାରିଖ ବେସରକାରୀ କାର୍ଯ୍ୟ ଦିବସ ରହିଛି ।
ଅଧିବେଶନ ପୂର୍ବରୁ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତହୋଇଛି । ବୈଠକ ପରେ ବାଚସ୍ପତି କହିଛନ୍ତି ଯେ ସର୍ବଦଳୀୟ ବୈଠକ ଆଲୋଚନାରେ ୧୫ଟି ବିଷୟବସ୍ତୁ ଥିଲା । ଗୃହ ଯେପରି ସୂଚାରୁ ରୂପେ ଚାଲିବ ସେନେଇ ସଭ୍ୟମାନେ ମତ ପ୍ରଦାନ କରିଛନ୍ତି । ଚଳିତ ଥର ସାମ୍ବାଦିକ ମାନଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଛଡାଯିବ । ଏଥର ସାଧାରଣ ଲୋକ ମଧ୍ୟ ବିଧାନସଭାକୁ ଆସିପାରିବେ । ସେମାନଙ୍କୁ ସ୍ପିକର ଗ୍ୟାଲେରୀ ଓ ଦର୍ଶକ ଗ୍ୟାଲେରୀକୁ ଛଡାଯିବାକୁ ନିଷ୍ପତି ହୋଇଛି । ଦର୍ଶକମାନଙ୍କୁ ବିଧାୟକମାନଙ୍କ ଜରିଆରେ ଦର୍ଶକ ଗ୍ୟାଲେରୀ ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ । ସ୍ୱାସ୍ଥ୍ୟଗତ କାରଣରୁ ଗୃହ କାର୍ଯ୍ୟରେ ଯୋଗ ଦେଇପାରୁନଥିବା ଅସୁସ୍ଥ ବିଧାୟକମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭାଗ ନେଇପାରିବେ । ଅପରପକ୍ଷରେ ବଜେଟ୍ ଅଧିଶେନ ପୂର୍ବରୁ ସୋମବାର ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ।
