ବାଲିଆପାଳରୁ ପ୍ରଥମଥର ପାଇଁ ବ୍ରାଉନସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଚାଞ୍ଚଲ୍ୟ । ଜିଲାରେ ବିଭିନ୍ନ ସ୍ଥାନରୁ ବ୍ରାଉନ୍ସୁଗାର ଜବତ ହେଉଥିବା ବେଳେ ବାଲିଆପାଳ ବ୍ଲକରେ କେବେ ଘଟିନଥିଲା । ମାତ୍ର ଗୁରୁବାର ପ୍ରଥମଥର ପାଇଁ ବାଲିଆପାଳ ଥାନା ଅନ୍ତର୍ଗତ ପାରୁଳିଆ ସୁବର୍ଣ୍ଣରେଖା ନଦୀ ପୋଲ ଉପରୁ ବାଲିଆପାଳ ପୋଲିସ ୯ଗ୍ରାମ୍ର ବ୍ରାଉନ ସୁଗାର ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନା ଯେ, ବାଲିଆପାଳ ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବାର ଖବର ପୋଲିସ ପାଖରେ ରହିଥିଲା । ପୋଲିସ ସତର୍କତାର ସହିତ ବାଲିଆପାଳ ଅଞ୍ଚଳର ବ୍ରାଉନ ସୁଗାର ବେପାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖି ବିଭିନ୍ନ ସ୍ଥାନରେ କଡ଼ା ପ୍ରହରା ଜାରି ରଖିଥିଲା । ଗୁରୁବାର ବାଲିଆପାଳ ଥାନା ଆଇଆଇସି ସୁବ୍ରତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଶାରଦା ପ୍ରସନ୍ନ ମୁଦୁଲି, ଏଏସ୍ଆଇ ଜ୍ୟୋତିରଞ୍ଜନ ମିଶ୍ରଙ୍କ ସହିତ ଅନ୍ୟ ପୋଲିସ ପାରୁଲିଆ ଠାରେ ସୁବର୍ଣ୍ଣରେଖା ନଦୀ ପୋଲ ଉପରେ ପ୍ରହରା ଦେଉଥିବା ସମୟରେ ଖାଗଡ଼ାପାଳ ଗ୍ରାମର ସେକ କାସିମଙ୍କ ପୁତ୍ର ସେକ କରିମ ପୋଲିସକୁ ଦେଖି ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାକୁ କାବୁ କରି ୯ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ତାକୁ ଗିରଫ କରି ଥାନାକୁ ନେଇଥିବାର ଜଣାପଡ଼ିଛି ।
