ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ
ୱେଷ୍ଟମିନଷ୍ଟର ଆବେରେ ସ୍ବାମୀଙ୍କ ନିକଟରେ କବର
ଅନ୍ତ୍ୟେଷ୍ଟିରେ ଯୋଗଦେଲେ ୨୦୦୦ ବିଶ୍ବନେତା, ରାଜପରିବାର ସଦସ୍ୟ
ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲଣ୍ଡନର ୱେଷ୍ଟମିନିଷ୍ଟରରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ କଫିନ ଇଙ୍ଗ୍ଲିସ ଓକରେ ଏକ ଦଶନ୍ଧି ପୂର୍ବେ ତିଆରି କରାଯାଇଥିଲା । ମହାରାଣୀଙ୍କୁ ତାଙ୍କ ସ୍ଵାମୀ ପ୍ରିନ୍ସ ଫିଲିପ୍, ଡ୍ୟୁକ୍ ଅଫ ଏଡିନବର୍ଗଙ୍କ ଠିକ ନିକଟରେ କବର ଦିଆଯାଇଛି । ମହାରାଣୀଙ୍କ କଫିନ୍ କୁ ରାଜକୀୟ ପତାକାରେ ଢଙ୍କା ଯାଇଥିଲା । ରାଜମୁକୁଟକୁ ଫୁଲ ସହିତ ତାଙ୍କ ଉପରେ ରଖାଯାଇଥିଲା । ରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ଲଣ୍ଡନ ସହରର ଗଳି କନ୍ଦି ଖାଁ ଖାଁ ରହିଥିଲା ।
ଏହି ସମୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନର ନରୁହିତୋଙ୍କ ସମେତ ପ୍ରାୟ ୨୦୦୦ ବିଶ୍ବନେତା ଓ ରାଜପରିବାର ସଦସ୍ୟ ଯୋଗ ଦେଇ ରାଣୀଙ୍କୁ ଅନ୍ତିମ ଶ୍ରଦ୍ଧା ନିବେଦନ କରିଥିଲେ। ରାଣୀଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମକୁ ବୈଦ୍ୟୁତିକ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା। ପ୍ରାୟ ୬୦୦୦ ସାମରିକ କର୍ମଚାରୀ ଓ ହଜାର ହଜାର ଲୋକ ଏଥିରେ ଭାଗ ନେଇଥିଲେ।
ବ୍ରିଟେନ୍ ଉପରେ ଲମ୍ବା ସମୟ ଧରି ଶାସନ କରିଥିବା ରାଣୀ ଏଲିଜାବେଥଙ୍କୁ ଶେଷ ବିଦାୟ ଦେବା ପାଇଁ ସମଗ୍ର ବିଶ୍ୱର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ୧୯୬୫ ପରେ ରାଜ ପରିବାରର ଏହା ପ୍ରଥମ ଅନ୍ତିମ ସଂସ୍କାର । ଏହି ସମୟରେ କିଙ୍ଗ ଚାର୍ଲ୍ସ ଏବଂ ବ୍ରିଟିଶ ରାଜ ପରିବାରର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିଥିଲେ । ଅନ୍ତିମ ସଂସ୍କାର ପାଇଁ ଲଣ୍ଡନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
୧୯୬୫ରେ ୱିନଷ୍ଟନ ଚର୍ଚ୍ଚିଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଏହା ହେଉଛି ଇଂଲଣ୍ଡର ପ୍ରଥମ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି (ଷ୍ଟେଟ୍ ଫ୍ୟୁନେରାଲ)। ରାଜା ଚାର୍ଲସ, ରାଣୀ କାମିଲା ଓ ଅନ୍ୟ ରାଜପରିବାର ସଦସ୍ୟଙ୍କ ଛଡ଼ା ଏହି କାର୍ଯ୍ୟକ୍ରମରେ ପ୍ରିନ୍ସ ୱିଲିୟମ ଓ କେଟ୍ଙ୍କ ୯ ବର୍ଷର ପୁଅ ପ୍ରିନ୍ସ ଜର୍ଜ ଓ ୭ ବର୍ଷର ଝିଅ ରାଜକୁମାରୀ ଚାର୍ଲୋଟ ବି ଯୋଗ ଦେଇଥିଲେ। ୯୬ ବର୍ଷ ବୟସରେ ପରଲୋକ ଗମନ କରିଥିବା ରାଣୀ ଏଲିଜାବେଥ୍ ଦ୍ବିତୀୟ ବ୍ରିଟିସ ରାଜପରିବାର ଇତିହାସରେ ସର୍ବାଧିକ ୭୦ ବର୍ଷ ୨୧୪ ଦିନ ଦେଶର ଶାସନମୁଖ୍ୟ ରହିଆସିଥିଲେ। ୧୯୫୩ ମସିହାରେ ତାଙ୍କର ପିତା ଜର୍ଜ ଷଷ୍ଠଙ୍କଠାରୁ ସେ ଶାସନଭାର ଗ୍ରହଣ କରିଥିଲେ। ରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ବ୍ୟବହୃତ ଇଂଲିସ ଓକ୍ କାଠରେ ବିଶେଷ କଫିନ ୩ ଦଶନ୍ଧି ତଳେ ତିଆରି ହୋଇଥିଲା। ଏହାକୁ ୱେଷ୍ଟମିନଷ୍ଟର ହଲ୍ରେ ‘କାଟାଫାଲ୍କ’ ବୋଲି କୁହାଯାଉଥିବା କଫିନ ଷ୍ଟାଣ୍ଡରେ ରଖାଯାଇଥିଲା। ତା’ପରେ ଏଥିରୁ ରାଣୀଙ୍କ ମରଶରୀରକୁ ନେଇ ତାଙ୍କର ସ୍ବାମୀ ପ୍ରିନ୍ସ ଫିଲିପଙ୍କ ପାଖରେ ଶେଷ ବିଶ୍ରାମ ଦିଆଯାଇଥିଲା। ସୂଚନା ଯେ, ଗତ ୮ ତାରିଖରେ ରାଣୀଙ୍କର ପରଲୋକ ହୋଇଥିଲା। ମୃତ୍ୟୁର ୧୧ ଦିନ ପରେ ତାଙ୍କୁ ଶେଷ ବିଶ୍ରାମ ଦିଆଯାଇଛି। ପ୍ରିନ୍ସ ଫିଲିପଙ୍କର ଗତବର୍ଷ ୯୯ ବର୍ଷ ବୟସରେ ପରଲୋକ ହୋଇଥିଲା।
