୫-ଟିରେ ରୂପାନ୍ତରଣ ହେବ ବ୍ରହ୍ମପୁର ସିଟି ହସପିଟାଲ
ବ୍ରହ୍ମପୁର: ଗଞ୍ଜାମ ଜିଲାର ମୁଖ୍ୟ ଚିକିତ୍ସାଳୟ ତଥା ବ୍ରହ୍ମପୁର ସିଟି ହସପିଟାଲର ହେବ ନବକଳେବର। ୫-ଟି ଉପକ୍ରମ ଅନ୍ତର୍ଗତ ଆମ ହସପିଟାଲ୍ ଯୋଜନାରେ ୧୧.୨୪ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମିର ଆହୁରି ବିକାଶ କରାଯିବ। ଚଳିତ ସପ୍ତାହରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଦାଖଲ କରିବ ପୂର୍ତ୍ତ ବିଭାଗ। ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରୂପାନ୍ତରଣ କାର୍ଯ ସମ୍ପନ୍ନ ହେବ।
ଦୁଇଟି ଭାଗରେ ଏହି ରୂପାନ୍ତରଣ କାମ କରାଯିବ। ରୋଗୀ ଓ ସମ୍ପର୍କୀୟଙ୍କ ପ୍ରତୀକ୍ଷା ସ୍ଥଳ, ଇନଡୋର୍ ଏବଂ ଆଉଟଡୋର୍ ଠାରେ ଗରମ ଓ ଥଣ୍ଡା ପାନୀୟ ଜଳ, ଧାଡ଼ି କରି ଡାକ୍ତରଙ୍କ ପାଖକୁ ତଥା ଔଷଧ ଆଣିବା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସୁବିଧା ହାସଲ କରିବା, ଅନଲାଇନ୍ ପଞ୍ଜୀକରଣ, ଯଥେଷ୍ଟ ପଞ୍ଜୀକରଣ କାଉଣ୍ଟର୍, ନିରାମୟ କାଉଣ୍ଟର୍, ହେଲପ୍ ଡେସ୍କ ଆଦି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବ। ସେହିପରି ବିଭିନ୍ନ ମରାମତି ଓ ରକ୍ଷଣାବେକ୍ଷଣ, ରଙ୍ଗ ଦେବା, ଶୌଚାଳୟ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଓ ଏମର୍ଜେନ୍ସି ବ୍ୟାକ୍ଅପ୍, ଭିନ୍ନକ୍ଷମଙ୍କ ସକାଶେ ରେଲିଂ ଓ ରାମ୍ପ୍, ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ହସପିଟାଲର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା ଆଦି ଅଣଜରୁରୀ କାର୍ଯ୍ୟ ମଧ୍ୟ କରାଯିବ। ଫଳରେ ୫-ଟି ରୂପାନ୍ତରିତ ଏହି ମୁଖ୍ୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଅଧିକ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ମିଳିପାରିବ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପ-ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ପ୍ରମୁଖ ସିଟି ହସପିଟାଲ ପରିଦର୍ଶନ କରି ଆବଶ୍ୟକ ଅନୁଧ୍ୟାନ କରିଛନ୍ତି।
