ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାର ସିଡିଏସ୍ ବିପିନ୍ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି। ତାଙ୍କ ପାର୍ଥିବ ଶରୀରକୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଛି । ରାଣା ପ୍ରତାପଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିମାନବନ୍ଦରରେ ଗାର୍ଡ ଅଫ୍ ଅର୍ଣ୍ଣର ଦିଆଯାଇଥିଲା । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ମନ୍ତ୍ରୀ ବିଧାୟକ, ପୋଲିସ କମିଶନରଙ୍କ ସମେତ ବହୁ ବ୍ୟକ୍ତିବିଶେଷମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଣାଙ୍କ ଶେଷ ଦର୍ଶନ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଞ୍ଚିଛନ୍ତି। ସେ ରାଣା ପ୍ରତାପଙ୍କ ଜନ୍ମସ୍ଥାନକୁ ଯିବେ ବୋଲି ସୂଚନା ମିଳିଛି। ମନ୍ତ୍ରୀ ଅଶୋକ ପଣ୍ଡା ବି ପହଞ୍ଚିଛନ୍ତି।
ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ ସୂଚନା ମିଳିଛି । ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ଯବନଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଯେ, ଯେ ତାଳଚେରର ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତ ତାଙ୍କ ପତ୍ନୀ ଓ ଅନ୍ୟ ଯବାନଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ ।
