ସାବେରୀ ନଦୀରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକ କର୍ତନପାଲ୍ଲୀ ଫାଣ୍ଡି ଅନ୍ତର୍ଗତ ଉଦୟଗିରି ଗ୍ରାମରେ ଗତକାଲି ଶୌଚ ହେବାକୁ ଯାଇ ସାବେରୀ ନଦୀରେ ଭାସି ଯାଇ ନିଖୋଜ ଥିବା ଯୁବକର ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଉଦୟଗିରି ଗ୍ରାମର ମଙ୍ଗରାଜ ଭୂମିଆ (୩୦) ନିକଟସ୍ଥ ସାବେରୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେ ନଦୀ କୂଳରେ ଶୌଚ ହେବା ସମୟରେ ତାଙ୍କର ପାଦ ଖସି ଯାଇଥିଲା । ନଦୀରେ ପ୍ରଖର ସ୍ରୋତରେ ମଙ୍ଗରାଜ ଭାସି ଯାଇଥିଲେ । ତେବେ ମଙ୍ଗରାଜ ଘରକୁ ଫେରିବାରେ ଡେରି ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ଗତକାଲି ବହୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ପତା ମିଳି ନଥିଲା । ଆଜି ସକାଳୁ ମଙ୍ଗରାଜଙ୍କ ମୃତଦେହ ସାବେରୀ ନଦୀରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବର ପାଇ ମାଥିଲି ଥାନା ପୋଲିସ ଓ ଅନ୍ୟ କର୍ମଚାରୀ ପହଂଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।
