ଉଦୟପୁର ରେଳ ଧାରଣାରେ ବିସ୍ଫୋରଣ, ରେଳ ସେବା ବନ୍ଦ
ଜୟପୁର : ରାଜସ୍ଥାନର ଉଦୟପୁର ରେଳ ଧାରଣାରେ ବିସ୍ଫୋରଣ ଘଟିଛି । ଫଳରେ ଉକ୍ତ ରୁଟରେ ରେଳସେବା ସାମୟିକ ଭାବେ ପ୍ରଭାବିତ ହେବା ସହ ବନ୍ଦ ରହିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳନି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଓ ରେଳ ସୁରକ୍ଷା ବଳର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ଏହି ଘଟଣାରେ ରେଳମନ୍ତ୍ରୀ ବୈଷ୍ଣବ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି, ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଉଛି । ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା, ଆର୍ପିଏଫ୍ ଓ ସ୍ଥାନୀୟ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ବିସ୍ଫୋରଣଟି ଉଦୟପୁର ସହରରୁ ପ୍ରାୟ ୩୫ କି.ମି ଦୂରରେ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରେଳମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ତଦନ୍ତ ଜାରି ରହିଥିବା ସହ ରେଳ ଧାରଣା ମଧ୍ୟ ମରାମତି ଜାରି ରହିଛି । କିଛି ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ଓ ପ୍ରାଥମିକ ତଦନ୍ତ ସରିବା ପରେ ରେଳ ଚଳାଚଳ ପୁଣି ଥରେ ସ୍ବାଭାବିକ ହେବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି । ଟ୍ରେନ ଦୁର୍ଘଟଣା କରାଇବା ଉଦ୍ଦେଶ୍ୟରେ ରେଳ ଧାରଣାରେ ବିସ୍ଫୋରଣ ଘଟାଇ ଏଭଳି ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି ।
