ବିଧାୟକଙ୍କୁ ଇଡି-ସିବିଆଇ ଭୟ ଦେଖାଇ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି : ଆପ୍
ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି। ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବା ପରେ ଏଏପି କ୍ରମାଗତ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଏଏପି ନେତା ତଥା ରାଜ୍ୟସଭା ଏମ୍ପି ରାଘବ ଚଢ଼ା ଏକ ଗଣଧ୍ୟମ ସମ୍ମିଳନୀ ଆୟୋଜନ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପର ରାଜ୍ୟସଭା ସଦସ୍ୟ ରାଘବ ଚଢ଼ା ଅଭିଯୋଗ କରିଛନ୍ତି ଯେ ବିଜେପି ତାଙ୍କ ଦଳର ବିଧାୟକଙ୍କୁ ଦୁଇଟି ବିକଳ୍ପ ଦେଉଛି – ସେମାନେ ବିଜେପିରେ ଯୋଗ ଦିଅନ୍ତୁ ନଚେତ୍ ସିବିଆଇ-ଇଡି ସେମାନଙ୍କୁ ଜେଲରେ ପୂରାଇବ। ଦିଲ୍ଲୀ ବିଧାନସଭା ଅଧିବେଶନରେ କେଜ୍ରିୱାଲ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେପି ଯୋଜନା କରୁଛି।
ଚଢ଼ା କହିଛନ୍ତି, “ବିଧାନସଭାରେ ୬୨ ବିଧାୟକ ସହ ଆପ୍ ପାଖରେ ପୂର୍ଣ୍ଣ ବହୁମତ ରହିଛି । ବିଜେପିର ୮ ଜଣ ବିଧାୟକ ଅଛନ୍ତି, କିନ୍ତୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସରକାରର ଯେପରି ପତନ ଘଟିଥିଲା, ଠିକ୍ ସେହିପରି ଅନାସ୍ଥା ପ୍ରସ୍ତାବ ଆଳରେ ବିଧାୟକ କିଣି ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି । ସେହିପରି ବିଜେପି ଆମର ବିଧାୟକଙ୍କୁ ଦୁଇଟି ବିକଳ୍ପ ଦେଉଛି – ବିଜେପିରେ ଯୋଗ ଦିଅ ନଚେତ୍ ସିବିଆଇ ଓ ଇଡି ସେମାନଙ୍କୁ ଜେଲରେ ପୂରାଇବ।
