ଉତ୍ତର ପ୍ରଦେଶରେ ବିଜପିକୁ ଝଟକା; ଏସପିରେ ଯୋଗ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ଆଉ ଏକ ମାସରୁ କମ ସମୟ ଥିବାବେଳେ ଶାସକ ବିଜେପିକୁ ବଡ ଝଟକା ଲାଗିଛି । ମଙ୍ଗଳବାର ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି)ରେ ସାମିଲ ହୋଇଛନ୍ତି । ଏସପି ମୁଖ୍ୟ ଅଖିଳେଶ ତାଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।
ସ୍ବାମୀ ପ୍ରସାଦ ମୌର୍ଯ୍ୟ ଉତ୍ତର ପ୍ରଦେଶର ପାଦ୍ରୁନା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ୨୦୧୬ ରେ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି (ବିଏସପି)ରୁ ଇସ୍ତାଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଶିବିର ଛାଡିଛନ୍ତି । ସେହିପରି ସପାରେ ଯୋଗଦେବା ନିଷ୍ପତ୍ତିକୁ ଦଳ ମୁଖ୍ୟ ଅଖିଳେଶ ଯାଦବ ସ୍ବାଗତ କରିଛନ୍ତି ।
ଆସନ୍ତା ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଜେପି ତାର ନିର୍ବାଚନୀ ରଣନୀତି ଆରମ୍ଭ କରି ସାରିଛି । ଚଳିତ ମାସ ୧୪ ତାରିଖରୁ ଦଳ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଯୋଗୀ ସରକାର ଉପଲବ୍ଧିର ତାଲିକା ନେଇ ଦ୍ବାର ଦ୍ବାର ବୁଲି ଭୋଟ ମାଗିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି । ସେପଟେ ମଙ୍ଗଳବାର ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସାମିଲ ହୋଇଥିବା ବେଳେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ବୈଠକ ଜାରି ରହିଛି । ତେବେ ଦଳ ପକ୍ଷରୁ ବ୍ୟାପକ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଦଳରୁ ଇସ୍ତାଫା ଦେଇ ବିରୋଧୀ ଦଳରେ ସାମିଲ ହେବା ନେଇ ରାଜନୀତି ଜାର ଧରିଛି।
