ପୌଷ ପୂର୍ଣ୍ଣିମାକୁ ଛୁଟି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତା ଜୟନାରାୟଣ
ଭୁବନେଶ୍ୱର : ନୂଆଖାଇ ପରେ କୃଷି ପରିବାର ପାଇଁ ସବୁଠୁ ବଡ ପର୍ବ ହେଉଛି ପୌଷ ପୂର୍ଣ୍ଣିମା ବା ପୁଷୁପୂର୍ଣ୍ଣିମା । ପଶ୍ଚିମ ଓଡିଶାର ପ୍ରତ୍ୟେକ କୃଷି ପରିବାର ପାଇଁ ଏହି ପର୍ବ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏଣୁ ଏହି ପର୍ବକୁ ସରକାରୀ ଛୁଟି ଭାବେ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର ।
ଏଥିରେ ସେ ଦର୍ଶାଇଛନ୍ତି ଯେ, ଚଳିତ ମାସ ୬ ତାରିଖରେ ପଡୁଛି ପୌଷ ପୂର୍ଣ୍ଣିମା । ଏହି ପର୍ବକୁ ପାଳିବା ପାଇଁ ୧୧ ଜିଲ୍ଲାକୁ ଛୁଟି ଘୋଷଣା ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି । ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ଏବଂ ଅନୁଗୁଳର ଆଠମଲିକ ସବଡିଭିଜନରେ ଛୁଟି ଘୋଷଣା କରାଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି ।
