‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ଦାବିରେ ବିଜେଡିର ବିକ୍ଷୋଭ
କେନ୍ଦୁଝର : ଓଡିଶାରେ ବସବାସ କରୁଥିବା ଜନଜାତି ମାନଙ୍କୁ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧୬୦ରୁ ଅଧିକ ପ୍ରସ୍ତାବ ଏବେବି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି । କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଏବଂ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଦାବିରେ ବୁଧବାର ବିଜୁ ଜନତା ଦଳ କେନ୍ଦୁଝର ଜିଲ୍ଲା ପକ୍ଷରୁ ପ୍ରତିବାଦ ବିକ୍ଷୋଭ କରାଯିବା ସହିତ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ହାତରେ ପ୍ଲାକାର୍ଡ, ବ୍ୟାନର ଧରି ଶହ ସହ ବିଜେଡି କର୍ମୀ ସ୍ଥାନୀୟ କାଳୀ ପଡିଆ ନିକଟରୁ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲେ । ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ,କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ, ପୁର୍ବତନ ସାଂସଦ ଧନୁର୍ଜୟ ନାରାୟଣ ସିଂହ ଲାଗୁରୀ,ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତୀ,ରଥ ମୁଣ୍ଡା, ସୋମବାରୀ ମୁର୍ମୁ,ରମଣୀ ନାଏକ, ଉଦୟ ନାଏକ, ରାଧା ନାଏକଙ୍କ ସମେତ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ଆସିଥିବା ବହୁ ଆଗଧାଡିର ବିଜେଡି ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
