ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ବର ସବୁଠୁ ବଡ଼ : ଏଫ୍ଆଇଏଚ୍
ରାଉରକେଲା : ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍କୁ ନେଇ ଲାଗି ରହିଥିବା ବିତର୍କର ଅନ୍ତ । ବସିବା ବ୍ୟବସ୍ଥା ଥାଇ ବିଶ୍ବରେ ଆଉ କେଉଁଠି ଏହାଠୁ ବଡ଼ ହକି ଷ୍ଟାଡିୟମ୍ ନାହିଁ ବୋଲି ସ୍ପଷ୍ଟ କଲା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)। ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଓ ଏହାର ଭିତ୍ତିଭୂମିକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଇକ୍ରାମ କହିଥିଲେ, ଚଳିତ ବିଶ୍ବକପ୍ ବୃହତରୁ ବୃହତର ହେବାରେ ଲାଗିଛି। ବିର୍ସା ମୁଣ୍ଡା ଷ୍ଟାଡିୟମ୍, ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଅତ୍ୟାଧୁନିକ ସୁବିଧା, ସର୍ବୋପରି ଏଠାରେ ଦର୍ଶକଙ୍କ ଭିଡ଼ ଓ ଉତ୍ସାହ ଉପଭୋଗ୍ୟ। ଏ ବିଶ୍ବକପ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ମହୋତ୍ସବ ପାଲଟିଛି। ଭାରତ ଖେଳୁନଥିବା ମ୍ୟାଚ୍ରେ ବି ଷ୍ଟାଡିୟମରେ ଦର୍ଶକ ଭରିଯାଉଛନ୍ତି। ଏହା ପ୍ରମାଣିତ କରୁଛି ହକି କ’ଣ କରିପାରେ। ଷ୍ଟାଡିୟମ୍ର ଦର୍ଶକ କ୍ଷମତା ୨୦,୦୦୦ରୁ ବଢ଼ି ୨୧, ୮୦୦ରେ ପହଞ୍ଚିଛି। ବସିବା ବ୍ୟବସ୍ଥାର ବଡ଼ ହକି ଷ୍ଟାଡିୟମ୍ ଆଉ କେଉଁଠି ନାହିଁ। ବିଗତ ୪ ଦଶନ୍ଧି ହେଲା ମୁଁ କ୍ରୀଡ଼ା ସହ ସଂଶ୍ଲିଷ୍ଟ। କିନ୍ତୁ ଏଭଳି ଭିତ୍ତିଭୂମି କେଉଁଠି ବି ଦେଖିନି। ବିଭିନ୍ନ ଦଳର ପ୍ରଶିକ୍ଷକ, ଖେଳାଳିଙ୍କୁ ଭେଟିଛି, ସେମାନେ ବେଶ୍ ଖୁସି ଅଛନ୍ତି।
