ବାଲେଶ୍ୱର କୁଲଡ଼ିହାରେ ପକ୍ଷୀ ଗଣନା ଆରମ୍ଭ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ବନବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ ହୋଇଛି । ଶୀତ ଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି କୁଲଡ଼ିହା ଅଭୟାରଣ୍ୟରେ ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ଚଳିତବର୍ଷ ବନ ବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଅଭୟାରଣ୍ୟ ଭିତରେ ଥିବା ରିଷିୟା ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ତେଣ୍ଡା ଅଞ୍ଚଳର ସାତଘାଟି ଡ୍ୟାମ୍ରେ ପକ୍ଷୀଗଣନା ପାଇଁ ୩ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ବୁଧବାର ପକ୍ଷୀ ଗଣନା କାର୍ଯ୍ୟକ୍ରମରେ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଛନ୍ତି । ଫରେଷ୍ଟର ଉମାକାନ୍ତ ଜେନା, ରାମେଶ୍ୱର ମୁର୍ମୁ, ପରମାନନ୍ଦ ନାୟକ, ନେତୃତ୍ୱ ନେଇଥିଲେ । ଏହାସହ ବନ କର୍ମଚାରୀ ଫରେଷ୍ଟଗାର୍ଡ଼, ସବୁଜବାହିନୀ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି । ପକ୍ଷୀଗଣନା ପୂର୍ବାହ୍ନ ୬ଟା ସମୟରେ ଆରମ୍ଭ ହୋଇଥିଲା । ରିଷିଆ ଡ୍ୟାମ୍ରେ ଡଙ୍ଗା ସାହାଯ୍ୟରେ ପକ୍ଷୀଗଣନା ହେଉଥିବାର ଦେଖିବାକୁ ମିଳିଥିଲା । ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଭଦଭଦଳିଆ ଆଦି ଦେଶୀ ପକ୍ଷୀ ରହିଥିବା ବେଳେ ୨୮ ପ୍ରଜାତିର ପକ୍ଷୀ ସହ ପ୍ରଥମଥର ପାଇଁ ମାଛଖିଆ ଛଞ୍ଚାଣ ରହିଥିବାର ସୂଚନା ରହିଛି । ପକ୍ଷୀ ବିଶେଷଜ୍ଞ ମେଘା ନାୟକ ଓ ସୁବ୍ରତ ନାୟକ ଓ ତାଙ୍କର ୨ ସହଯୋଗୀ ମନୋରଞ୍ଜନ ଦାସ, ପ୍ରକାଶ ମର୍ଦ୍ଦରାଜ ଆସି ପକ୍ଷୀଗଣନାରେ ସହଯୋଗ କରିଛନ୍ତି । କିନ୍ତୁ ପୁର୍ବ ର୍ବଷ ଠାରୁ ପକ୍ଷୀ କମ୍ ଥିବାର ସୂଚନା । ଅନୁରୂପ ଭାବେ ନୀଳଗିରି ବନ ବିଭାଗ ଅଧୀନ ପଦ୍ମତୋଳା ଠାରେ ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ୩ ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହେଉଛି ।
