ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗପୂତ ଜୀବନ ପ୍ରେରଣାର ଉତ୍ସ : ରାଜ୍ୟପାଳ
ଭୁବନେଶ୍ୱର : ଅଗ୍ରଗଣ୍ୟ ମୁକ୍ତିଯୋଦ୍ଧା, କୃଷକ ଓ ସାମ୍ୟବାଦୀ ଆନ୍ଦୋଳନର ଆଦ୍ୟ ପୁରୋଧା, ଶିକ୍ଷାବିତ୍ ଓ ସୁଲେଖକ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟପାଳ ପଫେସର ଗଣେଶୀ ଲାଲ୍ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସେ ‘ପ୍ରାଣନାଥ ସମ୍ମାନ-୨୦୨୨’ ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରାଣନାଥଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଲେ ଯେ ତାଙ୍କର ସମଗ୍ର ଜୀବନ ଜନସେବା ପାଇଁ ଉତ୍ସର୍ଗୀକୃତ ଥିଲା । ସମାଜର ଗରିବ, ଅବହେଳିତ ଓ ଶୋଷିତ ବର୍ଗଙ୍କ ଉତ୍ଥାନ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ରାଣନାଥଙ୍କୁ ଜଣେ ସାଲିସ୍ ବିହୀନ ଯୋଦ୍ଧା ରୂପେ ଅଭିହିତ କରିଥିଲେ ।
ପ୍ରାରମ୍ଭରେ ସ୍ମୃତି ସମିତିର ସଭାପତି ବର୍ଷିୟାନ ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିôବା ବେଳେ ସମ୍ପାଦକ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷର ‘ପ୍ରାଣନାଥ ସମ୍ମାନ’ରେ ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ହେଲେ- ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡା. ସି.ବି.କେ. ମହାନ୍ତି, କବି ରକ୍ଷକ ନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ଶିକ୍ଷାବିତ୍ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଓ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ ।
