ବିଜୁ ଜର୍ଜ ଦିଲ୍ଲୀ କ୍ୟାପିଟାଲ୍ସର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ
ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ଆଇପିଏଲ୍ ଲାଗି ବିଜୁ ଜର୍ଜଙ୍କୁ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ବିଜୁ ପୂର୍ବତନ ଭାରତୀୟ କ୍ରିକେଟର୍ ମହମ୍ମଦ କୈଫ୍ଙ୍କ ସ୍ଥାନ ନେବେ । ମୁଖ୍ୟ ପ୍ରଶିକ୍ଷକ ରିକି ପଂଟିଂ, ସେନ୍ ୱାଟ୍ସନ୍, ଜେମ୍ସ ହୋପ୍ସ ଓ ପୂର୍ବତନ କ୍ରିକେଟର୍ ଅଜିତ ଅଗରକର ଓ ପ୍ରବୀଣ ଆମ୍ରେଙ୍କ ସହ ଦିଲ୍ଲୀ ପ୍ରଶିକ୍ଷକ ମଣ୍ଡଳିରେ ସ୍ଥାନ ପାଇଛନ୍ତି ବିଜୁ ।
ବିଜୁ ପୂର୍ବରୁ ଭାରତୀୟ ମିହିଳା ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଥିଲେ । ୨୦୧୫ ଓ ୨୦୧୬ରେ ସେ କୋଲ୍କାତା ନାଇଟ୍ ରାଇଡର୍ସ, ୨୦୨୦ରେ ସନ୍ରାଇଜର୍ସ ହାଇଦ୍ରାବାଦ ସହ ମଧ୍ୟ କାର୍ଯ୍ୟ କରିଥିଲେ । ଏଥିସହ ସେ କୁଏତ ଜାତୀୟ ଦଳର ଦାୟିତ୍ୱରେ ମଧ୍ୟ ଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାରଠୁ ମୁମ୍ବାଇରେ ଏକାଠି ହୋଇ ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କରିବ । କିନ୍ତୁ ଅଧିନାୟକ ଋଷଭ ପନ୍ତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପରେ ଦଳ ସହ ଯୋଗଦେବେ । ଦିଲ୍ଲୀ ମାର୍ଚ ୨୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରୁ ଆଇପିଏଲ୍ ଅଭିଯାନ ଆରମ୍ଭ କରିବ ।
