ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ : ସାରା ଦେଶରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ଦାବି ମଧ୍ୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅନେକ ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପୁରୁଣା ପେନସନ ଯୋଜନାକୁ ନେଇ ଏବେ ଏକ ଖୁସି ଖବର ଆସୁଛି । ହିମାଚଳ ପ୍ରଦେଶ ସରକାର ମଧ୍ୟ ଏପ୍ରିଲ ୧, ୨୦୨୩ରୁ ସାରା ରାଜ୍ୟରେ ପୁରୁଣା ପେନସନ ଯୋଜନା ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ବର୍ତ୍ତମାନ ଠାରୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ପୁରୁଣା ପେନସନ୍ ଯୋଜନା ରେ ଲାଭ ପାଇବେ ।
ହିମାଚଳ ପ୍ରଦେଶ ସରକାର ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୧, ୨୦୨୩ରୁ ପୁରୁଣା ପେନସନ୍ ଯୋଜନା ପୁନଃ ଲାଗୁ କରାଯାଉଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ୧.୩୬ ଲକ୍ଷ କର୍ମଚାରୀ ଉପକୃତ ହେବେ । କାରଣ ଜାତୀୟ ପେନସନ୍ ସ୍କିମ୍ ଅଧୀନରେ ସେମାନଙ୍କ ଟଙ୍କା କଟା ଯାଉଥିଲା । ବର୍ତ୍ତମାନ ଠାରୁ ଏହା ବନ୍ଦ ହୋଇଯିବ ।
ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଜାତୀୟ ପେନସନ୍ ସିଷ୍ଟମ୍ ଅଧୀନରେ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଅବଦାନ (ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଅଂଶ) ଏପ୍ରିଲ୍ ୨୦୨୩ରୁ ବନ୍ଦ ହୋଇଯିବ । ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସର ଏକ ପ୍ରମୁଖ ପ୍ରତିଶୃତି ଥିଲା । ଜାନୁୟାରୀ ୧୩, ୨୦୨୩ରେ ପ୍ରଥମ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା ।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନେତୃତ୍ୱରେ କଂଗ୍ରେସ ସରକାର ରାଜ୍ୟରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।
ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।
