ଏଚଡ଼ିଏଫସି ବ୍ୟାଙ୍କର ବଡ଼ ନିଷ୍ପତ୍ତି ! ବିଲୀନ ହେବ ଏହି ସବୁ ସଂସ୍ଥା, ସେୟାର ବଜାରରେ ବ୍ରାଣ୍ଡ ଭ୍ୟାଲୁ ବୃଦ୍ଧି
ନୂଆଦିଲ୍ଲୀ : ଏଚଡ଼ିଏଫସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ବିନିଯୋଗ ଓ ଗୃହ ଋଣ ସହଜରେ ମିଳିପାରିବ। ଏଚଡ଼ିଏଫସି ବ୍ୟାଙ୍କ ସହ HDFC Investments Limited ଓ HDFC Holdings Limited ମିଶ୍ରଣ ହେଉଛି। ସୋମବାର କମ୍ପାନୀର ବୋର୍ଡ ବୈଠକରେ ପୂର୍ବ ପ୍ରସ୍ତାବ ଓ ଅଡିଟ ରିପୋର୍ଟକୁ ଅନୁଧ୍ୟାନ କରି ଏହି ମେଗା ମିଶ୍ରଣକୁ ଅନୁମତି ଦିଆଯାଇଥିବା ଏଚଡ଼ିଏଫସି ବ୍ୟାଙ୍କ କହିଛି।
ଷ୍ଟକ୍ ଏକ୍ସଚେଞ୍ଜରେ ଏଚଡ଼ିଏଫସି ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବ୍ୟାଙ୍କ ସହ HDFC Investments Limited ଓ HDFC Holdings Limited ମିଶ୍ରଣ ପରେ ଏଚଡ଼ିଏଫସି ୪୧ ପ୍ରତିଶତ ଅଂଶଧନ ହାସଲ କରିବ। ୨୦୨୪ ଆର୍ଥିକ ବର୍ଷର ଦ୍ୱିତୀୟ କିମ୍ବା ତୃତୀୟ ତ୍ରୈମାସିକରେ ଏଚଡ଼ିଏଫସି-ଏଚଡ଼ିଏଫସି ବ୍ୟାଙ୍କ ମିଶ୍ରଣ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏଚଡ଼ିଏଫସି କହିଛି ଯେ, ପ୍ରସ୍ତାବିତ କାରବାର ଏଚଡ଼ିଏଫସି ବ୍ୟାଙ୍କକୁ ଏହାର ଗୃହ ଋଣ ପୋର୍ଟଫୋଲିଓ ତିଆରି କରିବା ଏବଂ ଗ୍ରାହକ ବଢାଇବାରେ ସକ୍ଷମ କରିବ।
ଗତ କିଛିବର୍ଷ ମଧ୍ୟରେ ବ୍ୟାଙ୍କ ଏବଂ ଏନବିଏଫସି ପାଇଁ ବିଭିନ୍ନ ନିୟମାବଳୀ ତିଆରି ହୋଇଛି, ଯାହା ଦ୍ୱାରା ସମ୍ଭାବ୍ୟ ମିଶ୍ରଣ ସକ୍ଷମ ହେବ। ଏଥିସହ ବୃହତ ବାଲାନ୍ସ ସିଟ୍ ବ୍ୟାପକ ଋଣ ଭିତ୍ତିଭୂମିକୁ ଅନୁମତି ଦେବ, ଅର୍ଥନୀତିରେ ଋଣ ଅଭିବୃଦ୍ଧିର ଗତି ତ୍ୱରାନ୍ୱିତ କରିବ, ସୁଲଭ ଗୃହ ଋଣ ବୃଦ୍ଧି ପାଇବ ଏବଂ କୃଷି କ୍ଷେତ୍ରକୁ ଋଣ ସମେତ ପ୍ରାଥମିକ କ୍ଷେତ୍ରକୁ ଋଣ ପରିମାଣ ମଧ୍ୟ ବୃଦ୍ଧି କରିବ ବୋଲି ଏଚଡ଼ିଏଫସିର ଚେୟାରମ୍ୟାନ ଦୀପକ ପାରେଖ କହିଛନ୍ତି।
ସେପଟେ ଏଚଡ଼ିଏଫସି ବ୍ୟାଙ୍କର ମିଶ୍ରଣ ଖବର ଆସିବା ପରେ ସେୟାର ବଜାରରେ କମ୍ପାନୀର ବ୍ରାଣ୍ଡ ଭ୍ୟାଲୁ ବୃଦ୍ଧି ପାଇଛି। ବିଏସଇରେ ଏଚଡ଼ିଏଫସିର ସେୟାର ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏଚଡ଼ିଏଫସି ବ୍ୟାଙ୍କର ସେୟାରରେ ୯ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀର କହିବା ଅନୁସାରେ ସେୟାର ମାର୍କେଟରେ ଏଚଡ଼ିଏଫସି ଓ ଏଚଡ଼ିଏଫସି ବ୍ୟାଙ୍କର ସେୟାର ଇକ୍ୱିଟି ୪୨ ପ୍ରତିଶତ ରହିବ। ଏଚଡ଼ିଏଫସି ବ୍ୟାଙ୍କର ସମ୍ପୂର୍ଣ୍ଣ ପେଡ୍ ହୋଇଥିବା ୨୫ଟି ସେୟାରର ଫେସ ଭ୍ୟାଲୁ ଏକ ଟଙ୍କା ରହିବ। କିନ୍ତୁ ଏଚଡ଼ିଏଫସିରେ ଏହି ଫେସ ଭ୍ୟାଲୁ ୨ ଟଙ୍କା ହେବ।
