ଭୁବନେଶ୍ୱର-କୋଣାର୍କ ମୋ ବସ୍ ସେବାର ଶୁଭାରମ୍ଭ କଲେ କ୍ରୀଡା ମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱରଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍ ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍’ ସେବାକୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ କରିଛନ୍ତି । ପୁରୀ ଜିଲ୍ଲାରେ କୋଣାର୍କ, ଜାହାନିଆ, ଅସ୍ତରଙ୍ଗ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ଆଜିଠାରୁ କୋଣାର୍କ ମହୋତ୍ସବ ଓ ବାଲୁକାକଳା ଉତ୍ସବ ଆରମ୍ଭ ହେଉଛି । ରାଜଧାନୀ ଭୁବନେଶ୍ୱରଠାରେ ଗତକାଲିଠାରୁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆରମ୍ଭ ହୋଇଛି । ଏଥିପାଇଁ ଦେଶବିଦେଶରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନ ଓଡ଼ିଶା ଆସିଛନ୍ତି । ବର୍ତମାନ ଓଡ଼ିଶା ପୁଞ୍ଜିନିବେଶ ତଥା ପର୍ଯ୍ୟଟନ କ୍ଷେତ୍ରରେ ବହୁ ଅଗ୍ରଗତି କରିଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ଲାଗି ଇକୋରିଟ୍ରିଟ୍ ଆରମ୍ଭ ହୋଇଛି । ପୂର୍ବରୁ କୋଣାର୍କକୁ ୭୧ ଏବଂ ୭୨ ରୁଟ୍ ରେ ମୋ ବସ୍ ସେବା ରହିଥିଲା । ତେବେ କିଛି କାରଣ ବଶତଃ ୭୧ ନମ୍ବର ରୁଟ୍ ରେ ବନ୍ଦ ଥିବା ମୋ ବସ୍ ସେବାକୁ ଆଜିଠୁ ପୁଣିଥରେ ଆରମ୍ଭ କରାଯାଇଛି । ଏହି ସେବା ପୁନଃକାର୍ଯ୍ୟକାରୀ କରିବା ନେଇ ମନ୍ତ୍ରୀ ଶ୍ରୀ ବେହେରାଙ୍କ ତତ୍ୱାବଧାନରେ ପ୍ରୟାସ ଆରମ୍ଭ ହୋଇଥିଲା । ଯାହାର ଫଳସ୍ୱରୂପ ଭୁବନେଶ୍ୱର ଓ କୋଣାର୍କକୁ ମୋ ବସ୍ ର ପୁନଃସେବା ଆରମ୍ଭ ହୋଇଛି । ଏହା ଦ୍ୱାରା ପର୍ଯ୍ୟଟକମାନେ ଖୁବ୍ କମ ଖର୍ଚ୍ଚରେ କୋଣାର୍କ ଓ ଆଖପାଖ ଅଂଚଳ ବୁଲିପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଏହି ବସସେବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳି ଯାଇଛି ।
