୭୫ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ପ୍ରତିଷ୍ଠା ଦିବସ ପାଳନ ପାଇଁ ସହର ଉତ୍ସବମୁଖର
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଆଜିକୁ ଠିକ ୭୫ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ତେବେ ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହେଉଛି । ୭୫ ବର୍ଷ ହେବା ନେଇ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି । ରାଜଧାନୀ ପ୍ରତିଷ୍ଠା ପାଳନ କରିବାକୁ ବ୍ୟାପକ ଆୟୋଜନ କରାଯାଇଛି । ଆଜି ଜୟଦେବ ଭବନ ବଦଳରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୁଇ ଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମ ତିନି ଦିନ ପାଳନ ହେବ । ମାରାଥନ ଓ ସାଇକଲଥନ୍, ପରେଡ୍, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ରାଜଧାନୀ ପ୍ରତିଷ୍ଠା ଦିବସରେ ପାରମ୍ପରିକ ପରେଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଦିବସ ପାଳିତ ହେବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଛି । ଓଡିଶା ବିଧାନ ସଭା ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସାମ୍ନା ଉତ୍କଳ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ମୁଖ୍ୟମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଆୟୋଜନ କରାଯାଇଛି । ୭୪ ବର୍ଷ ତଳେ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରଣ କରାଯାଇଥିଲା । ବିଭିନ୍ନ ଅଟ୍ଟାଳିକା ଏବଂ ରାସ୍ତାର ଶିଳାନ୍ୟାସ କରାଯାଇ ଏକ ସବୁଜିମା ଭୁବନେଶ୍ୱରକୁ ବର୍ତ୍ତମାନ ସ୍ମାର୍ଟ ସିଟିରେ ପରିଣତ କରାଯାଇଛି ।
ସୂଚନା ଯେ, ଗତ ୧୯୪୮ ଏପ୍ରିଲ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ନୂଆ ରାଜଧାନୀ । ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକସଂଖ୍ୟାରୁ ଆରମ୍ଭ ହୋଇଥିବା ରାଜଧାନୀ ଭୁବନେଶ୍ୱର ଏହି ୭୫ ବର୍ଷ ଭିତରେ ନେଇଛି ବିଶାଳ ନଗରୀର ରୂପ । ସେତେବେଳେ ରାଜଧାନୀ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେହି ଜଙ୍ଗଲକୁ ସଫା କରି ସହରର ଶିଳାନ୍ୟାସ କରାଯାଇଥିଲା । ମନ୍ଦିର ମାଳିନୀ ଭୁବନେଶ୍ୱର ଏବଂ ସ୍ମାର୍ଟ ସିଟି । ଦେଶର ସ୍ପୋର୍ଟସ୍ ହବ ସହ ପୂର୍ବ ଭାରତର ଶିକ୍ଷା କେନ୍ଦ୍ର ପାଲଟିଛି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବର ଚାରିପଟକୁ ବଢିବାରେ ଲାଗିଛି । ଚେହେରା ବଦଳିଛି, ନୂଆ ପରିଚୟ ମିଳିଛି ।
